ଦାମ୍ପତ୍ୟର ସ୍ବର
ଦାମ୍ପତ୍ୟର ସ୍ବର
ସେଦିନ ଲୁହର
ଟପ୍ ଟାପ୍ ବିନ୍ଦୁ ଭିତରେ
ଭିଜି ଯାଉଥିଲା
ମୋର କଅଁଳ ବୟସ
ଛାଡି ଥିଲି ପିତା ମାତା
ସ୍ନେହର ପିତୁଳା
ଭାଇ ଭଉଣୀଙ୍କ ମେଳ
ଗାଁ ଦାଣ୍ଡ ଧୂଳି
ମୋର ପ୍ରିୟ ପରିବାର
ତୁମ ହାତ ଧରି
ଚାଲି ଆସିଥିଲ
ମଥାପରେ ବୋଳିଦେଇ
ବିଭୂଙ୍କ ଆଶିଷର ଧାର।।
ତୁମେ ଦେଇଥିଲ ସାହାସ
କରିଥିଲ ଅଭୟ ପ୍ରଦାନ
କହିଥିଲ ଏହା ପରା
ତୁମ ଜୀବନର ସ୍ବର୍ଗ
ତୁମ ପାଇଁ ଆଉ ଏକ
ନୂଆ ପରିବାର
ମୁଁ ପରା
ସବୁକିଛି ତୁମର
ପ୍ରିୟ ବନ୍ଧୁ ଆଜିଠାରୁ
ତୁମ ଜୀବନର....
ତୁମେ ମୋର ଜାୟା
ମୁଁ ଯେ ତୁମ
ପତି ପରମ ଈଶ୍ବର
ଆଜିଠାରୁ ଗଢିବା ଆମେ
ନୂଆ ଏକ ଘର
ଲଂଘିଯିବା ଯେତେ ଆସୁ
ଯାତନା ସାଗର
ଛାଡିବାନି କେବେ
କାହା ହାତ ପରଷ୍ପର ।।
ସେଦିନ ବୁଝିଲି ମୁଁ
ପ୍ରକୃତ ଅର୍ଥ ଜୀବନର
ଆଜିଯାଏ ଅସ୍ତ୍ର ହୋଇ ଅଛି
ସେଇ ଶ୍ରଦ୍ଧା ଆଉ
ମମତାର ଧାର
କେତେ ଚୁମ୍ବକୀୟ
ଆକର୍ଷଣ ଭରିଥିଲା
ଦୁଇପଦ କଥା ସହ
ତୁମ ମନ୍ଦ ମନ୍ଦ ହସର
ଯାହା ଆଜିଯାଏ ଜୀବନ୍ତ
ମୋ ହୃଦୟ ପଟରେ
ଥିବ ସଦା ଅମ୍ଳାନ ଭାସ୍ବର,
ଆଲୋକ ବର୍ତ୍ତିକା ହୋଇ
ଜଳୁଛି ଜଳୁଥିବ
ଆଲୋକିତ କରୁଥିବ
ଚଲାପଥ ମୋର
ଦୂରେଇ ଦେଇ
ଜୀବନ ଆକାଶରୁ
ଅମା ଅନ୍ଧକାର ।।
ସମୟର ପଥଧାରେ
ସ୍ପଷ୍ଟ ହୋଇ ଉଠୁଥିଲା
ଅବୁଝା ଦଂପତିର ଅର୍ଥ
ବୁଝିଥିଲି ତାର ଗୁଢ ତତ୍ତ୍ବ
ପ୍ରେମର ମଞ୍ଜିଟିଏ
ପୋତି ହୋଇ ଯାଇଥିଲା
ଆପେ ଆପେ
ହୃଦୟର ଅବୁଝା କ୍ଷେତରେ
ଆଜି ସେ ମହାଦ୍ରୁମ
ଡାଳ ପତ୍ର ମେଲି ହସେ
ତା ଫୁଲ ଫଳରେ
ଜଗତ କୁ ଭରେ
ଆଉ ବେଳ ଅବେଳରେ
ଗୁଞ୍ଜରିତ ହୁଏ ସେଇ ସ୍ବର
ଟିକିଏ ଥକିଗଲେ
ପାଦକୁ ମୋ ଟାଣିନିଏ
ଯନ୍ତ୍ରବତ୍ ଆଗକୁ ଆଗକୁ
ସାଥୀ ହୋଇଥାଏ ମୋର
ଅବଶିଷ୍ଟ ପଥର।।