ଦାମ୍ପତ୍ୟ
ଦାମ୍ପତ୍ୟ
ହିତେନ୍ଦ୍ର ନାଥ ମହାନ୍ତ
ଚିକମିକ ଆକାଶରେ
ବହୁବର୍ଣ୍ଣା ରୋଷଣିର ମଧୁରିମା
ଶୁଭ ବାଦ୍ୟର ତାଳରେ
ଋତୁପର୍ଣ୍ଣା ରଜନୀର ମନୋରମା ।
ଶଙ୍ଖ ହୁଳହୁଳିରେ, ବ୍ରାହ୍ମଣର ମନ୍ତ୍ରପାଠରେ
ହୋମଯଜ୍ଞର ଆହୂତିରେ ପଡିଥିଲା ହାତଗଣ୍ଠି
ଝଲସୁଥିଲା ସିନ୍ଥିରେ
ସିନ୍ଦୁର ର ଅରୁଣିମା ।
ପୂଜାବେଦୀରେ ସାତଘେରା ବୁଲିବା କ୍ଷଣିହିଁ
ତୁମେ ଆଉ ତୁମେ ନ ରହି
ହୋଇଯାଇଥିଲ ମୋର ଏକାନ୍ତ ମୋର
ଜନ୍ମ ଜନ୍ମାନ୍ତର ଲାଗି ;
ପ୍ରୀତିର ନୀଡ ବାନ୍ଧି ପ୍ରେମର ଝଡ ଖୋଜୁଥିଲ
ନିଜକୁ ସଜେଇ ବଧୂ ନିରୂପମା ॥॥
ସ୍ୱପ୍ନ ବୁଣୁଥିଲ ହେମନ୍ତ ସକାଳ
ଶିଶିର ଟୋପାରେ ମୁକ୍ତାର ଲାଳିମା
ବୋଳୁଥିଲ କେବେ ଶୀତ ସକାଳର
କୁହୁଡି ବଣରେ ବିଧୂର କାଳିମା ।
ମାୟାବୀ ସଂସାରେ ଅଭାବୀ ମଣିଷ
ପାରେନି ସ୍ୱଭାବ ଛାଡି
ଅନୁରାଗର ଶକ୍ତ ବନ୍ଧନକୁ
ଚିମୁଟନ୍ତି ଜନ୍ଦା ପିମ୍ପୁଡି
ବିରାଗର ବିଷ କାମୁଡି ।
ଗୋଲାପି ମନରେ ଲାଖିଯାଏ ପାଣ୍ଡୁର ସପନ
ମତ ମତାନ୍ତର ଲାଗି ।
ରାଗ ଋଷାରେ ହିଁ ଥାଏ ଭଲ ପାଇବା
ମାନ ଅଭିମାନରେ ନିବିଡତାର ନୀଳିମା ॥॥॥
ରାଗ ଋଷା ଥାଉ
ଯୁକ୍ତି ତର୍କ ହେଉ
ମତାନ୍ତର ରହୁ
ଚେତନା ମାର୍ଜନାର ଏ ସବୁ ଉପମା
ସୁସ୍ଥ ଦାମ୍ପତ୍ଯ ଶ୍ରେଷ୍ଠ ପତ୍ନୀତ୍ୱର
ଦିଗନ୍ତ ପ୍ରସାରୀ ସବୁଜିମା ।
କଳଙ୍କିତ ନ ହେଉ ପାରିବାରିକ ବିଚାରଧାରା
ବିଷାକ୍ତ ନ ହେଉ ସାଂସାରିକ ମୂଲ୍ୟବୋଧ
କ୍ଷତାକ୍ତ ନ ହେଉ ମାନବିକ ଦର୍ଶନବାଦ
ମନ ମନାନ୍ତର ଲାଗି ;
ଯେଉଁଠୁ ଫୁଟିବ
ଘୃଣାର ପରମାଣୁ ବୋମା
ଭାଙ୍ଗି ଚୁରୁମାର କରିବ
ସମ୍ପର୍କର ଅନୁପମା ।
ବାକି ଅଛି ଅସରନ୍ତି ପଥ
ଜଣାନାହିଁ କେତେ କଣ୍ଟକିତ
କେତେ କୁସୁମିତ ;
ସୋହାଗର ଆବେଗକୁ ଉଚ୍ଚାଟିତ କରି
ସାଥି ହୋଇ ତୋଳିବା
ସୁନାର ସଂସାର, ପାରିହେବା
ଜୀବନ ବୈତରିଣୀ ।
ଜ୍ୟୋତ୍ସ୍ନାର ସୁରଭି ଝରାଇ
ଚହଟାଇବା ମଳୟର ସୁଷମା ॥
ତା ହେଲେ ଡେରି କାହିଁକି
ଅବଗୁଣ୍ଠନ କୋଳେ ଚୁମ୍ବନକୁ ଲୁଚାଇ
ଆସ,ପାଖକୁ ଆସ ପ୍ରିୟତମା ॥॥॥॥
#########################
