ଚନ୍ଦ୍ରମା
ଚନ୍ଦ୍ରମା
ଚନ୍ଦ୍ରମା ଗୋ!
ମୁଁ ତୁମ ଜୋଚ୍ଛନା ପିଆସୀ।
ତୁମର ସେ ମଧୁବୋଳା ଶୀତଳତା,
ଭରିଦିଅ ମୋ ତନୁର କୋଣେ ଅନୁକୋଣେ।
ଦିନସାରା ତୁମ ବାଟ ଚାହିଁଥିବା,
ମୋ ମନ କୁମୁଦିନୀର ଖୋଜିଲା ଆଖିରେ,
ମାଖିଦିଅ ତୁମର ସେ ପ୍ରିତୀର କଜଳ।
ତୁମ କର ଆଲିଙ୍ଗନେ ମତୁଆଲା ମଧୁଲୋଭୀ ମଧୁପଟା
ମୋ ମନ ଉପବନରେ ଝୁମିଝୁମି ଘୁରିବୁଲୁ,
ମନଲୋଭା ମଧୁର ଗୁଞ୍ଜନେ
କୋଇଲିର କୁହୁତାନେ ଚୁମିବାକୁ,
ମଳୟର ଝୁଲଣାରେ ଆନ୍ଦୋଳିତ -
ଦରହସା କଳିକାର ରକ୍ତିମ ଅଧର।
ହ୍ରୃଦୟ ମଧୁଶାଳାର ରଜନୀଗନ୍ଧା ଶେଯରେ,
ଅର୍ଦ୍ଧ ନିମୀଳିତ ନେତ୍ରେ କଳାମେଘ ବେଣୀ ଖୋଲି
ଶୋଇଥିବା ମୋ ମନ ପ୍ରେୟସୀ
ସ୍ନେହର ଜଉରେ ମୁଦା ଲଫାପାକୁ ଖୋଲି
ପଢୁ ତୁମ ଜୋଛନାର ପ୍ରିତୀ ଆମନ୍ତ୍ରଣ।
ଜୋସ୍ନା ବିଧୌତ ନିଶୀର ରତିବୋଳା ଆକର୍ଷଣ,
ମୋ ମନର ସୁନୀଳ ସାଗରେ,
ଭରିଦେଉ ପ୍ରେମର ଜୁଆର।
କିନ୍ତୁ? ମୋତେ ଲାଗେ ଭୟ ତୁମର ସେ ଚନ୍ଦ୍ରକଳା ପାଇଁ!
ଜୋଚ୍ଛନା ସାଥିରେ ଆସି କାଳିମା ଲେପିବନି ତ
ମୋ ମନ ମାନସୀର ସେ ରଙ୍ଗଭରା ଗୋଲାପି ଅଧରେ?
କଳଙ୍କ ବୋଳିବନି ତ ତାର ସେ ସ୍ଵପ୍ନିଳ ହସରେ?
ଖିଲିଖିଲି ହସହସି କହିଲା ଚନ୍ଦ୍ରମା
ତୁମେ ତ ସୁଖର ସାଥୀ ତୁମେ ସ୍ଵାର୍ଥପର।
ମନଟା ତୁମର କଳା,
ସେଥିପାଇଁ କଳା ସଙ୍ଗେ ତୁମ ପରିଚୟ।
ଡରାଏ ତୁମକୁ ଚନ୍ଦ୍ରକଳାର କଳଙ୍କ।
କିନ୍ତୁ? ଚନ୍ଦ୍ରକଳା ଜାଣେନାହିଁ କାଳିମାର ସଂଗ୍ୟା,
ବୁଝେନା ସେ କଳଙ୍କର ମାନେ।
ମନଟା ତାହାର ସ୍ଵଚ୍ଛ ମୋ ଜୋଚ୍ଛନା ପରି।
କେବେବି ଆସେନି ସିଏ ଜୋଚ୍ଛନା ସହିତ,
କଳଙ୍କିତ କରିବାକୁ ଜୋଚ୍ଛନାର ମାଧୁରିମା।
ସେଥିପାଇଁ ଗର୍ବ ମୋର ଚନ୍ଦ୍ରକଳା ପାଇଁ,
ତା ସହିତ କରିଛି ବନ୍ଧୁତା।
ଶରୀରର ରଙ୍ଗ ନୁହେଁ ତାର ପରିଚୟ।
ମନର ସ୍ଵଚ୍ଛତା ପାଇଁ ,
ମୋ ନାମରେ ନାମିତ ସେ ଚନ୍ଦ୍ରକଳା ନାମେ।
ତା ଭଳି ମନ ଯଦି ହୁଏ ତୁମ ସ୍ଵଚ୍ଛ,
ନିର୍ଝରିଣୀ ବାରିଧାରା ପରି,
ଚନ୍ଦ୍ର ସାଜି ସାରା ଦୁନିଆଟା,
ଢାଳିବ ତୁମ ଉପରେ,
ମଧୁବୋଳା ଶୀତଳ ଜୋଚ୍ଛନା।