ଚିରଞ୍ଜିବୀ
ଚିରଞ୍ଜିବୀ
ପ୍ରବଳ ପ୍ରତାପୀ ଲଙ୍କେଶ ରାବଣ
ଭ୍ରାତା ତୁମେ ବିଭୀଷଣ
ତୁମେ ଉପଦେଷ୍ଟା ରାଜ ସଭାସଦ
ପୁଣ୍ୟ ଆତ୍ମା ଗୁଣବାନ ।
ସତ୍ୟ ସନ୍ଧ ତୁମେ ପରମହିତୈଷୀ
ସେବା ଭକ୍ତି ପରାକାଷ୍ଠା
ତ୍ରିତାପ ବିଜୟୀ ବୀର ବିଭୀଷଣ
ଧନ୍ୟ ତୁମର ତପସ୍ୟା ।
ସହିଛ ବିନୟେ ଲାଞ୍ଛନା ଭର୍ତ୍ସନା
ଅତ୍ୟାଚାରୀ ପଦାଘାତ
ଅନ୍ୟାୟ ବିରୁଦ୍ଧେ ବିମୁକ୍ତ କଣ୍ଠରେ
କରିଛ ସତ୍ୟ ଉଦ୍ଘୋଷ ।
ତୁମେ ଦିବ୍ୟ ଦ୍ରଷ୍ଟା ସିଦ୍ଧ ସୁପୁରୁଷ
ଏକନିଷ୍ଠ ସଦାଚାରୀ
ସହଯୋଗୀ ସାଧୁ ସଫଳ ଉଦ୍ୟମୀ
ନିପୁଣ ନୀତି ସଂସ୍କାରୀ ।
ତପବଳେ ତୁମ ରାବଣ ନିଧନ
ବିଜୟୀ ଶ୍ରୀ ରାମଚନ୍ଦ୍ର
ଉଦ୍ଧରିଲ ଜନେ ପାପୀ ଲଙ୍କା ପୁରେ
ହେଲା ସତ୍ୟ ଜୟକାର ।
ପାପ ପଙ୍କେ ତୁମେ ଢଳଢଳ ଶୁଦ୍ଧ
ଶୁଭ୍ର ଶାନ୍ତି ଶତଦଳ
ଚିରଞ୍ଜିବୀ ତୁମେ ବନ୍ଧୁ ବିଭୀଷଣ
ସୁଯୋଗ୍ୟ ପ୍ରଭୁଙ୍କ ପ୍ରିୟ ।