ଚିହ୍ନା ମୁ୍ହଁ ଅଚିହ୍ନା ମଣିଷ
ଚିହ୍ନା ମୁ୍ହଁ ଅଚିହ୍ନା ମଣିଷ
ଘର ପରିଧିକୁ ଡ଼େଇଁ ମନ ପରିଧିକୁ ଗଲେ,
ଭାସିଆସେ କେତେ ମୁହଁ ଆଖି ପରଦାରେ।
ସେମାନଙ୍କ ସମସ୍ତଙ୍କ ପରିଚୟ,
ହାତ ଗୋଡ ଆଖି କାନ ପାଟି ଥିବା,
ମୋର ଏହି ଚୌରାଶୀ ଆଙ୍ଗୁଳ ଶରୀର ସହିତ।
ସେମାନେ ହସିଲେ ମୁଁ ହସେ,କାନ୍ଦିଲେ ମୁଁ କାନ୍ଦେ।
ସେମାନେ ସାମିଲ୍ ହୁଅନ୍ତି,
ମୋ ଓଠର ହସ ଆଉ ଆଖିର ଲୁହରେ।
ଏମାନେ ମୋ ନିଜର, ମୋ ସମ୍ପର୍କର।
ମୋ ପରିଚୟ ଏମାନଙ୍କୁ ନେଇ,
ମୋର ସବୁ ସୁଖ ଦୁଖ ଏମାନଙ୍କ ପାଇଁ।
ସେମାନଙ୍କ ଠିକଣାରେ ମୁଁ ଚିଠି ପାଏ।
ଏଯାଏ ମୁଁ ନିଜର ଠିକଣା ଖୋଜୁଛି
ମିଳିବକି ନ ମିଳିବ କିଏ ଜାଣେ?
ସମୟ ସୁଅରେ ଭାସୁ ଭାସୁ
ଏମାନଙ୍କ ହସ ଲୁହ ସାଉଁଟୁ ସାଉଁଟୁ
ବେଳେବେଳେ ଏମାନଙ୍କୁ ବୁଝି ହୁଏନାହିଁ।
ଭଞ୍ଜ ସାହିତ୍ୟର କଷ୍ଟ ଶବ୍ଦ ପରି,
ଶବ୍ଦକୋଷ ନିଅଣ୍ଟିଆ ହୁଏ ବୁଝିବାକୁ।
ଆପଣାର ଚିହ୍ନା ମୁହଁସବୁ
ସେମାନଙ୍କ ଭିତରେ ଲୁଚିଥିବା ମଣିଷ ମାନଙ୍କୁ।
ଆଖି ଆଗରେ ଥାଇବି ସେମାନେ ଅସ୍ପଷ୍ଟ ଦିଶନ୍ତି।
ଆପାଦ ମସ୍ତକ ଢ଼ାଙ୍କି,
କୁହୁଡିରେ ଭିଜି ଭିଜି ଯାଉଥିବା ପଥିକଟି ପରି।
ଚିହ୍ନା ମୁହଁ ଭିତରେ ଅଚିହ୍ନା ମଣିଷ।
ଭାରି କଷ୍ଟ ହୁଏ।
ମନ ଗୁମୁରି ଗୁମୁରି କାନ୍ଦେ।
ଆଖିରୁ ଲୁହ ନ ଝରି ଅନ୍ତରରୁ ଝରେ।
ଯାହା କେବେ ପୋଛି ହୁଏନାହିଁ ।