ଛୁରୀ
ଛୁରୀ
ତୃପ୍ତ ମୁହୂର୍ତ୍ତମାନଙ୍କରେ
ଖୁବ୍ କସରତିଆ ଧାଁ ଦୌଡ
ଭିତରେ
ମୁଁ ଚାହୁଁଥିଲି ମୁଠେଇ
ଧରିବାକୁ
ବିଗତ ଦିନର କିଛି ମିଠା
ମିଠା ସ୍ମୃତି
ପୁଞ୍ଜି କରି ଆଗାମୀ
ସକାଳର
ଏକ ନୂତନ ସର୍ଜନା ପାଇଁ
ଫଳପ୍ରସୂ ହେଇପାରିଲାନି
ମୋ ପ୍ରୟାସ
ହୁଏତ କିଛି ଅଚିହ୍ନା
ଚକ୍ରବାତର ଉତ୍ପୀଡନରେ
ଡିଆଁ ମାରି ଖସିଗଲେ
ସ୍ମୃତି ସବୁ
ମୋ ହାତମୁଠାରୁ
ମୁଁ ପୁଣି ହେଇଗଲି ଏକା
ଏକା ଠେଙ୍ଗୁଆ ମଣିଷଟିଏ
ଅଭିମାନୀ ବାକିଆ ଜୀବନ
ମୋ ଜୀଇଁ ରହିବାକୁ
ସଘନ ଆବଶ୍ୟକ କରୁଥିଲା
କିଛି ନିବିଡ ସମବେଦନାର
ଫୁଆର
ଯାହା ସାଉଁଟି ନେବାରେ
ମୋ ଅସାମର୍ଥ୍ୟତା
ଖାଲି ରଖିଦେଲା ମୋର
ଅଣ୍ଟି
ମୋ ଚଉହଦି ମଧ୍ୟ
ଏବେ କିନ୍ତୁ ଜଗୁଛି ମୁଁ
ମୋର ଖାଲି ଅଣ୍ଟିକୁ
କେହି ହୁଏତ ଭରି
ଦେଇପାରେ ସେଠି ଛୁରୀଟିଏ
ହେଉ ପଛେ ଅନ୍ଥରା
ନିଜ ତଣ୍ଟି କଟିଯିବାର
ଭୟ ଯେଣୁ
ଜଡିତ ତହିଁରେ
ସବୁ ଛୁରୀକୁ ଗୋଟେଇଆଣି
ନଷ୍ଟ କରିଦେବାର କଳ୍ପନା
କଅଣ ଭଲ ନୁହେଁ
ତେବେ ଡେରି କିଆଁ
ପାଞ୍ଚ ପଚିଶ ପଛେ
ସରିଯାଉ ମୁଣାରୁ
ନଷ୍ଟ କିନ୍ତୁ
ହେଇଯାଆନ୍ତୁ ସବୁ ଛୁରୀ ମାନ
ଶାନ୍ତିର ପ୍ରଥମ ସୋପାନରେ