STORYMIRROR

Dr. Pratap Kumar Swain

Others

3  

Dr. Pratap Kumar Swain

Others

ଛୋଟ ଏକ ଚୋରୀର ବୃତ୍ତାନ୍ତ

ଛୋଟ ଏକ ଚୋରୀର ବୃତ୍ତାନ୍ତ

2 mins
278


ମନେପଡେ ସେ ଦିନର ହଜିଲା ଅତୀତ

ଥିଲି ମୁଁ ସ୍ନାତକର ଦ୍ୱିତୀୟ ବର୍ଷ ଛାତ୍ର ।


ରହୁଥିଲୁ ସାତଜଣ ଏକ ଛାତ୍ରାବାସେ

ପାଠପଢା ପ୍ରତି ଧ୍ୟାନ ଦେଉଥାଉ କେତେ।


ପ୍ରଥମ ବର୍ଷଟି ବନ୍ୟା ନେଇଥାଏ ଧୋଇ

ଦୁଇ ବର୍ଷ ପାଠ ବୋଝ କଷ୍ଟ ଲାଗୁଥାଇ।


ଦୁଇ ତିନିମାସ ପାଠ ନିୟମିତ ପଢି

ପ୍ରଥମ ବର୍ଷ ପାଠ ଦେଲୁ ଆମେ ସାରି।


ନିୟମିତ ପଢା ଚାଲେ ପ୍ରତିଯୋଗିତାରେ

ବଡଭାଇ ମାନଙ୍କଠୁ ପାଠ ବୁଝା ଚାଲେ।


ସେ ସବୁର ଇତିହାସ କେହି ଲେଖିନାହିଁ

ଖଟା ମିଠା ଅନୁଭବ ସତେଜ ଲାଗଇ।


ସରସ୍ୱତୀ ପୂଜା ପାଇଁ ବୈଠକ ବସିଲା

ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଲା।


ଫୁଲ କୁଣ୍ଡ ସଜ୍ଜା ପାଇଁ ହେଲା ସ୍ଥିରୀକୃତ

ଦାସ ସାରଙ୍କ କୁଣ୍ଡ ହେବ ନିୟୋଜିତ।


ଦାସ ସାର୍ ପଢାନ୍ତି ପଦାର୍ଥ ବିଜ୍ଞାନ

ତାଙ୍କ ବାଡି ଫୁଲ କୁଣ୍ଡ କରିବେନି ଦାନ।


ସ୍ଥିର ହେଲା ଫୁଲ କୁଣ୍ଡ ନିଶାର୍ଦ୍ଧେ ଆସିବ

କାଲି ପୂଜାରେ ଦେବୀଙ୍କ ପାଖେ ସଜାଯିବ।


ସେଥିପାଇଁ ଗୁଇନ୍ଦା ବାହିନୀ ଗଢାହେଲା

ତୀକ୍ଷ୍ଣ ନଜର ଫୁଲ କୁଣ୍ଡେ ଦିଆଗଲା।


ସାର ତାଙ୍କର ତିନି ଝିଅଙ୍କ ସହିତ

ଜଗିଥିଲେ ଫୁଲ କୁଣ୍ଡ ନିଶାର୍ଦ୍ଧ ପର୍ଯ୍ୟନ୍ତ ।


ରାତି ଦୁଇଟାରେ ସବୁ ଘରେ ଗଲେ ଶୋଇ

ଆମ ପିଲା ଫୁଲକୁଣ୍ଡ ଆଣିଲେ ଚୋରାଇ।


ଦୁଇଟା ପର୍ଯ୍ୟନ୍ତ ଜଗିଥିଲୁ ଯେଣୁ ଆମେ

ରାଗରେ ସମସ୍ତେ କିଛି ଭାଳୁଥିଲେ ମନେ।


ବଗିଚାରେ ଥିଲା ଗୋଟେ କଦଳୀର ଗଛ

ବନ୍ତଳ କାନ୍ଧିଟି ଥିଲା ଅତି ସୁଗଠିତ।


ନିଷ୍ପତ୍ତି କ୍ରମରେ ପୁଣି କାଟିଲୁ ସେ କାନ୍ଧି

ମାଟି ମିଶାଇ କାଟିଲୁ ବୃକ୍ଷଟିକୁ ଛନ୍ଦି ।


କଦଳୀକୁ ଭୋଜି ପାଇଁ ସାଇତି ରଖିଲୁ

ବୃକ୍ଷଟିକୁ ନଦୀ ଗର୍ଭେ ନେଇ ବିସର୍ଜିଲୁ।


ସକାଳୁ ଉଠିଲେ ଯେବେ ନିଜେ ଅଧ୍ୟାପକ

କଦଳୀ ବୃକ୍ଷ ନପାଇ ହୋଇଲେ ନିର୍ବାକ।


ପରିବାର ଜଣ ଜଣ ଗଛକୁ ଖୋଜିଲେ

ଚିହ୍ନ ବର୍ଣ୍ଣ ଗଛଟିର ଟିକେ ନପାଇଲେ।


ସାରଙ୍କ ବଡ ଝିଅ ବହୁ ଚେଷ୍ଟା କରି

ଦେହାବଶେଷ ତାହାର ଆବିଷ୍କାର କରି।


ତାପରେ ଦେଖିଲେ ସବୁ ଫୁଲ କୁଣ୍ଡ ନାହିଁ

ଗାଳି ବର୍ଷୁଥିଲେ ପୁଣି ଗଗନ କମ୍ପାଇ।


ଲାଗୁଥିଲା ସତେ ସାର୍ ସାଜିଛନ୍ତି ଭୀଷ୍ମ

ଛାତ୍ରାବାସକୁ ଆମର କରିଦେବେ ଭସ୍ମ ।


କଦଳୀ ସନ୍ଧାନ ନେଇ ପଚାରିଲେ ଆସି

ଅଧ୍ୟାପକଙ୍କୁ ମିଛ କହିଲୁ ଯେ ମିଶି।


ଯେହେତୁ ମୁଁ ଥିଲି ପୁଣି ବିଜ୍ଞାନର ଛାତ୍ର

ମୋତେ ପଚରାଗଲା ବହୁ କିଛି ପ୍ରଶ୍ନ ।


ଥାନା ପୁଲିସ ଧମକ ସାର୍ ଯେ ଦେଲେ

ପିଲାମାନେ ମୃଦୁ ଯୁକ୍ତି କେତେ ଆରମ୍ଭିଲେ।


ଅଧ୍ୟାପକ ରାଗିଯାଇ ଦେଲେ ଅଭିଶାପ

ଅମଣିଷ ହେବୁ ବୋଲି କରିଲେ ଆକ୍ଷେପ।


ଭାଗ୍ୟକୁ ଆଜି ହୋଇଛି ଅଧ୍ୟାପକ ମୁହିଁ

ସେଦିନର କଥା ସବୁ ଭୁଲିଥିଲି ମୁହିଁ ।


ମହାବିଦ୍ୟାଳୟେ ହେବ ବାଗଦେବୀଙ୍କ ପୂଜା

କଦଳୀ ବୃକ୍ଷେ ତୋରଣ ହୋଇବ ଯେ ସଜ୍ଜା।


ମୋ ବାଡିରୁ କଦଳୀ ବୃକ୍ଷଟି ନେବାପାଇଁ

ଅନୁରୋଧ ପିଲାଙ୍କର ରକ୍ଷା କଲି ମୁହିଁ ।


ବଡବୃକ୍ଷଟିଏ ଥିଲା ଆସନ୍ନ ପ୍ରସବା

ନ ପଚାରି କାଟିନେଇ କଲେ ସାଜସଜ୍ଜା ।


ପତ୍ନୀ ସେ ବୃକ୍ଷ ଛେଦନେ କଲେ ମନ ଦୁଃଖ

ବଖାଣିଥିଲି ଅତୀତ ଚୋରୀର ବୃତ୍ତାନ୍ତ।


ଶୁଣିଲେ ସେ ଶାପଗ୍ରସ୍ତ ମୋହର ଅତୀତ।

ହସୁଥିଲେ ଶୁଣି ଆମ ଏପରି ଔଦ୍ଧତ୍ୟ


ଭାବୁଥିଲି ସେ ଦିନର ଗୁରୁଙ୍କ ଅବସ୍ଥା

ମୋ ଉପରେ ପଡିବାରୁ ପଶିଲା ମୋ ଚେତା।


ହସକାନ୍ଦ ଭରିଥିଲା ମୋହର ପ୍ରାଣରେ

କେତେ ଅସହାୟ ଆହା ଅଧ୍ୟାପକ ଥିଲେ।


ଆଜି ମନେ ପଡେ ସେହି ଚୋରୀର ବୃତ୍ତାନ୍ତ

କେଡେ ଦୁଷ୍ଟ ଥିଲୁ ଆମେ ସବୁତକ ଛାତ୍ର ।











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍