ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ


ଜୀବନଟା ଗୋଟେ ମିଶାଣ ଫେଡ଼ାଣ
କେବେ ଯୋଡ଼େ ବେଶି ଶୂନ
ଆଉ କେବେ ପୁଣି ହରଣ ଗୁଣନ
ଭାଗ ଶେଷ ଖାଲି ଶୂନ ।
ସୃଷ୍ଟି ସରଜନା ସ୍ରଷ୍ଟାଙ୍କ ରଚନା
ନିୟମ ବଡ଼ ବିଚିତ୍ର
ହେଉ ସେ ଧନୀ ଗରୀବର ଜୀବନ
ସବୁ ହୃଦେ ଶତୃମିତ୍ର ।
ଦିନ ପରେ ରାତି ରାତି ପରେ ଦିନ
ଜୀବଚକ୍ର ଘୁରୁ ଅଛି
ଅହମିକା ପଣେ ଜୀବନ ବୃକ୍ଷଟି
ଛନ୍ଦହୀନ ଲାଗୁଅଛି ।
ସୁର ଲୟ ତାଳ ନ ଥିଲେ ଜୀବନେ
ଜୀଇଁବା ଭସା ବାଦଲ
ସଂସାର ସାଗର ବନ୍ୟାରେ ଭାସିବ
ବିନା ବର୍ଷା ମେଘ ମାଳ ।
ଜୀବନ ପଥରେ ମଣିଷ ଅତିଥି
ଜନ୍ମ ମୃତ୍ୟୁ ମଧ୍ୟ ପ୍ରାନ୍ତେ
ଚିହ୍ନା ଅଚିହ୍ନାର ସମ୍ପର୍କ ଯୋଡ଼ଇ
ଛନ୍ଦ ହୀନ ପ୍ରେମପଥେ ।
ପାଶ୍ଚାତ୍ୟ ସଭ୍ୟତା ପ୍ରଭାବେ ଜୀବନ
ବିବେକ ପଣରେ ହୀନ
ସମାଜର ପ୍ରାଣ କରଇ କ୍ରନ୍ଦନ
ପ୍ରୀତି ବିନା ସଂକ୍ରମଣ ।
ନିଃଶ୍ୱାସର ସେଇ ବିଶ୍ୱାସ ବାଡ଼ିଟି
ଜୀବନ ପଥରେ ସାହା
ଅଭିନୟ ସାରି ବାହୁଡ଼ିବ ପକ୍ଷୀ
ବିଧିର ବିଧାନ ଯାହା ।
ଛନ୍ଦହୀନ ଜୀବନ ଲାଗଇ ଭାରି
ସ୍ୱାଦ ହୀନ ପ୍ରିୟା ପ୍ରୀତି
ବିନା ସୁରଭିରେ ପୁଷ୍ପଟି ଯେପରି
ସୁର ବିନା ତାଳ ସୃଷ୍ଟି ।