ଚାମୁଚରେ ଜୀବନ
ଚାମୁଚରେ ଜୀବନ
ଏଇ ଦେଖ ତ
ଆଗରେ ସମୁଦ୍ର
ତାକୁ ଲଗି ଛୋଟିଆ ଗାଁ ଟିଏ
ଧୂସର ପାହାଡ଼ ପାଖେ
ନୀଳିଆ ଆକାଶ ତଳେ
ପବନ ରେ ଦୋହଲୁଥିବା
ବାଇଚଢେଇ ବସା
ଅସରାଏ ବର୍ଷା
ଦଲକାଏ ପବନ
ଗମ୍ଭୀର ଘଡ଼ଘଡ଼ି
ତାରି ଭିତରେ ଛୋଟ ସଂସାର
ସହର ଠୁଁ ଦୂରରେ
ସରଳତା ର ପାଖରେ
ବଂଚିବାର ମୋହ ରେ
ଭଲ ପାଇବାର ଆଶା ରେ
ରାତି ଯାଇ ସକାଳ ହୁଏ
ଘୁମେଇ ପଡିଥିବା ଜୀବନ
ଚଂଚଳ ହୁଏ
ଜୀବନ ଏଠି ସଦା ସିଧା
ସଫାସୁତୁରା ;
କିଛି ହଜେଇ ଦେବାର ଥମ ଥମ ଭାବ
ଚିମୁଟାଏ ପାଇ
ଆଞ୍ଜୁଳାଏ ପାଇଯିବାର
ସ୍ପଷ୍ଠ ଉଚ୍ଚାରଣ ;
କେତେବେଳେ ଟିପେ ଖୁସି
ଆଣିଦିଏ ବଂଚିବାର ରାହା ;
ଏମିତିବି ହୁଏ
ବରଗଛ ଓହଳ ରେ ଝୁଲୁଥାଏ ଜୀବନ
ବାଉଁଶ ବୁଦାରେ ଲୁଚିଯାଏ ଶୈଶବ
ଗାଁ କୂଅ ମୂଳେ ସରିଯାଏ ଯୌବନ
ପୋଖରୀ ତୁଠରେ ଭାଙ୍ଗି ଯାଏ ଜୀବନ
ବୋହିଯାଏ ଲାଲ ପାଣିଚୁଡ଼ି ଆଉ ହଳଦୀ ଶାଢ଼ୀ
ଦିକି ଦିକି ଦେଇ ଜଳୁଥାଏ
କାଚ ଡିବିରୀ ;
ଖୁ ଖୁ କାଶ
ପେଜୁଆ ଆଖି
ନକ ନକ ଡାକୁଥିବା ଆଶା ବାଡ଼ି
ନଙ୍ଗଳା ଚୁଲି ;
ଖାଲି ଭାତ ହାଣ୍ଡି
ନାହିଁ ନାହିଁ ର ଜୀବନ
ତାଳି ପକା ବିଶ୍ୱାସ
ଦଦରା ମନ
ବିଦୀର୍ଣ୍ଣ ହୃଦୟ
ଉଚ୍ଚାରୁଥାନ୍ତି ଜୀବନର
ନଗ୍ନ ବାସ୍ତବତା
ବିନା ଶବ୍ଦ ରେ ବିନା ଅକ୍ଷର ରେ
ମନେ ହୁଏ ସଦ୍ୟ ବୈଧବ୍ୟ ର
ଅନୁଚ୍ଚାରିତ ନିଶବ୍ଦ ଉଚ୍ଚାରଣ
