STORYMIRROR

Biswanath Nayak

Others

4  

Biswanath Nayak

Others

ବୟସର ଢେଉ

ବୟସର ଢେଉ

1 min
296


ଶ୍ରାବଣର ପ୍ରଥମ ଛୁଆଁରେ,

ଅଳସୀ କନିଆଁ ଆଜି ସାଜିଛି ଶ୍ରାବଣୀ। 

ରିମଝିମ୍ ବରଷାରେ ଭିଜା,

ତାର ସେ ସରମି ତନୁ ବାସ୍ନାରେ,

ଘୁରିବୁଲେ ପ୍ରେମୀ ପ୍ରଜାପତି।  

କଥାକୁହା ଆଖିରେ ତା ଚଞ୍ଚଳ ଚାହାଣୀ,

ଇତସ୍ତତ ବନ ହରିଣୀର।।                         

ଏଇ କିଛି ଦିନ ତଳେ ଷୋଡଶୀ ଫଗୁଣ,

ବୋଳିଛି ତା ବୟସରେ ଯୌବନର ଫଗୁ।  

ଶିରିଶିରି ପବନରେ ଦୋଳାୟିତ ଉତ୍ତରୀରୁ,

ବୋହୁଥିବା ଅବିର ରଙ୍ଗରେ ,                        

ଭିଜୁଛି ତା ଛମଛମ୍ ପାଉଁଜିର ଶବ୍ଦ।  


ହେ ରୁପସୀ ମଧୁବାଳା!

କରିଛ କି କାହାକୁ ପ୍ରତୀକ୍ଷା?

ତୁମ ମନ ମୟୂରୀଟା ବରଷାବୀଣାର ତାରେ,

କାହିଁକି ଗାଉଛି ଆଜି ଉଦାସୀ ମେଘ ମହ୍ଲାର?


ଉଦାସୀନି ରୁପସୀ ତା ବର୍ଷାଭିଜା ନାଲିଓଠେ,

କହିଲା ତା ଅନ୍ତରର ବ୍ୟଥା

କରିନି ମୁଁ କାହାକୁ ପ୍ରତୀକ୍ଷା,

ଆସିନି ମୁଁ ବିରହିଣୀ ସାଜି,

କାହାପାଶେ ବାଢିବାକୁ ପ୍ରଣୟର ଅର୍ଘ୍ୟ। 

ପାଇବାକୁ କାହାଠାରୁ ପହିଲି ପରଶ।  

ଯେଉଁଦିନ ଷୋଡଶୀ ଫଗୁଣ,

ଢାଳିଦେଲା ମୋ ଉପରେ ତାର ଫଗୁ ଡାଲା,

ଖୁସିହୋଇ ପଚାରିଲି ତାକୁ

ଫଗୁଣର ଫଗୁ ଆଉ ଫୁଲର ଝୁଲଣା ନେଇ,

ରହିବତ ସବୁଦିନେ ତୁମେ ମୋ ସାଥିରେ?              

ସବୁଦିନେ ରହିବତ ମୋର ଏ ଝୁମିଲା ବୟସ?

ରମ୍ଭା ଓ ଉର୍ବଶୀ ହୋଇ ସବୁବେଳେ ମଣ୍ଡିବିତ ଅମର ଭୁବନ?

ସବୁଦିନେ ଏ ତରକା ପ୍ରଜାପତିଦଳ,

ଉଡିବେତ ମୋ ଚାରିପାଖେ?


କହିଲା ମୋତେ ସମୟ

କାହା ସାଥେ ରହିବାଟା ନୁହେଁ ମୋର ଧର୍ମ,

ନିରନ୍ତର ଚାଲି ଚାଲି ,                         

ଦୁନିଆଁକୁ ମୋ ରଙ୍ଗରେ ରଙ୍ଗେଇବା ଅଟେ ମୋର କାମ,

ମୁଁ ହିଁ ପରିବର୍ତ୍ତନ ମୁଁ ବିବର୍ତ୍ତନ,

ଯାହା ଦିଏ ତାହା ନିଏ,

ରଖେନି ମୁଁ କାହାପାଖେ ଏକରଙ୍ଗ ସବୁଦିନ ପାଇଁ। 

ମୋତେ ଯେତେ ବାନ୍ଧିବାକୁ ଚେଷ୍ଟା କର ତୁମ ରଙ୍ଗ ଦେଇ,

ସବୁ ନିଶ୍ଚେ ଧୋଇଯିବ ସମୟ ସୁଅରେ। 

ଥିବ ଖାଲି ଅବଶୋଷ ,ଦୁଖ ଓ ଯନ୍ତ୍ରଣା।  

ସେଥିପାଇଁ ମୋ ସାଥିରେ ତାଳ ଦେଇ ଚାଲ,

ମୋ ରଙ୍ଗରେ ନିଜକୁ ରଙ୍ଗାଅ,

ପାଇବନି ହରାଇବା ଦୁଖ। 


ତେଣୁ ଆଜି ନାହିଁ ମୋର ଅହଂକାର ଏ ଫଗୁକୁ ନେଇ। 

ବୟସର ଶ୍ରାବଣୀ ତ ତାକୁ ଦିନେ ଧୋଇଦେବ। 

ସେଥିପାଇଁ ଉଦାସୀ ଆଖିରେ,

ସାକ୍ଷୀ କଦମ୍ବଟା ସାଜି ଜୀବନର ଯମୁନା କୂଳରେ,

ମୁଁ ଖାଲି ଗଣୁଅଛି ବୟସର ଢେଉ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍