ବ୍ୟଙ୍ଗ ସାହିତ୍ୟର ଚିତ୍ରକର ତୁମେ
ବ୍ୟଙ୍ଗ ସାହିତ୍ୟର ଚିତ୍ରକର ତୁମେ
ବ୍ୟଙ୍ଗ କବିତାକୁ ସାଥୀ କରିନେଇ
ଭାବୁଛ କି
ତୁମେ ବ୍ୟଙ୍ଗକାର !
ଜାଣି କି ପାରୁନ ବ୍ୟଙ୍ଗ ନୁହେଁ ତାହା
ଅନ୍ଧାରୁଆ
ତୀବ୍ର ଅହଂକାର ?
ବ୍ୟଙ୍ଗ ସାହିତ୍ୟର ଚିତ୍ରକର ବୋଲି
ବୋଲାଉଛ
ତୁମେ ଆଜେ ବାଜେ ।
ଆଙ୍କି ପାରିଛ କି ନିଜ ମାନଚିତ୍ର
ମାନସରେ
ତୁମ,ନିଜେ ନିଜେ ।।
ସାହିତ୍ୟ ସୃଜନ ସୃଜନୀ ଚିନ୍ତନ
ଚିରନ୍ତନ
ଶୁଭ୍ର,ସାରସ୍ୱତ ।
ବ୍ୟଙ୍ଗକାର ଅବା ସ୍ତମ୍ଭକାର ହୁଅ
ଶିଳ୍ପୀ ତୁମେ
ଜାତି ଭବିଷ୍ୟତ ।।
ଜାତି ଭବିଷ୍ୟତ ଇତିହାସ ରଚେ
ଶବ୍ଦ ଶବ୍ଦ
ଶୁଦ୍ଧ ସାହିତ୍ୟରୁ ।
ନୁହେଁ ବ୍ୟକ୍ତିଗତ ସର୍ବଜନାଦୃତ
ଏ ସାହିତ୍ୟ
କବି କଳ୍ପତରୁ ।।
ବ୍ୟଙ୍ଗ ସାହିତ୍ୟ ବି ଆତ୍ମଚେତନାରେ
ବର୍ଷୀୟାନ୍
ଆତ୍ମାର ନିଷ୍ଠାରେ ।
ଅଙ୍କୁର ତାହାର ଅତି ମନୋହର
ଅଙ୍କୁରିତ
ସତ୍ୟ ସାହିତ୍ୟରେ ।।
ତୁମ ଲେଖନୀର ସୂକ୍ଷ୍ମ ଅନ୍ତରାଳେ
ଚତୁର୍ବେଦ
ଗୀତା ଭାଗବତ ।
ନିର୍ମଳ ତଟିନୀ ଶୁଭ୍ର ମନ୍ଦାକିନୀ
ପୁଣ୍ୟତୋୟା
ପ୍ରାଣ ଆର୍ଯ୍ୟାବର୍ତ୍ତ ।।
ଆହେ ବ୍ୟଙ୍ଗକାର ଭୁଲି ଯାଇଛ କି
ସାହିତ୍ୟର
ସ୍ୱର,ମୁଖବନ୍ଧ ।
ସଂକୀର୍ଣ୍ଣ ସ୍ୱାର୍ଥକୁ କରିଛ ସାରଥୀ
ସମାଜରେ
ସାଜି ଜରାସନ୍ଧ ।।
ବ୍ୟକ୍ତିଗତ ତୁମ ତୀକ୍ଷ୍ଣ ଆକ୍ରୋଶରେ
କଟାକ୍ଷର
ରୁକ୍ଷ ଶବ୍ଦବାଣ ।
ନିକ୍ଷେପ କରୁଛ ତୁହାଇ ତୁହାଇ
ଅଯଥାରେ
ନେଇ ଈର୍ଷାପଣ ।।
ବ୍ୟର୍ଥ ବ୍ୟଙ୍ଗକାର ହୁଅ ନାହିଁ ବନ୍ଧୁ
ଶାଳୀନତା
ହେଉ ଅଙ୍ଗବସ୍ତ୍ର ।
ଗର୍ଜି ଉଠୁ ତୁମ ବଳିଷ୍ଠ ଲେଖନୀ
ଭ୍ରଷ୍ଟାଚାରେ
ହେଉ ମାରଣାସ୍ତ୍ର ।।
ସତ୍ୟର ରକ୍ଷକ ନ୍ୟାୟର ପ୍ରତୀକ
ଧର୍ମ ନେଇ
ହୁଅ ବଳୀୟାନ୍ ।
ତୁମରି ସୃଜନୀ ଇତିହାସ ରଚୁ
ସଂସ୍କାରକୁ
ନେଇ ଗରୀୟାନ୍ ।।
