ବ୍ୟଙ୍ଗ ବର୍ଣ୍ଣମାଳା
ବ୍ୟଙ୍ଗ ବର୍ଣ୍ଣମାଳା
ଜୀବନ ଜାତକ ପୃଷ୍ଠାରେ ପୃଷ୍ଠାରେ
ଲୁହ ଭିଜା କିଛି
ଅକ୍ଷର ଥାଏ ।
ସେ ଅକ୍ଷର ବ୍ୟଙ୍ଗ ବର୍ଣ୍ଣମାଳା ହୋଇ
ଯନ୍ତ୍ରଣା ଝଡରେ
ଝାଉଳି ଯାଏ ।।
ବର୍ଣ୍ଣମାଳା ସବୁ ନୀରବେ ନୀରବେ
ଗୋପନ ଗମ୍ଭୀର
ଲୁହ ଝରାନ୍ତି ।
ଲୁହ ଝରି ଝରି ଲହୁ ଝରିଯାଏ
ନିର୍ଲିପ୍ତ ନୟନେ
ପିଇ ଚାଲନ୍ତି ।।
ଲୁହ ଲହୁ ଭିଜା ନିଭୃତ ନୟନ
ଅବ୍ୟକ୍ତ କୋହକୁ
କୋଳେଇ ନିଏ ।
ଓଠର ଭାଷାକୁ ଅତି ସନ୍ତର୍ପଣେ
ଅଶ୍ରୁଳ ଆଖିରୁ
ଝରି,ଝରାଏ ।।
ଆଖି ସିନା କୁହେ ହୃଦୟର କଥା
ମନ ଗହନର
ସଙ୍ଗୀତ ସୁରେ ।
ଶ୍ରାବଣର ସ୍ରୋତ ବୈଶାଖ ବତାସ
ଗୁପ୍ତ,ଲୁପ୍ତ,ତିକ୍ତ,
ଲୁବ୍ଧ ଲୟରେ ।।
ଓଠର ଭାଷାରେ ସତ୍ୟତା ନଥାଏ
ନଥାଏ,ମନର
ସିଦ୍ଧ ସଂଳାପ ।
ବହୁଳ ବିସ୍ତୀର୍ଣ୍ଣ ସତ୍ୟ ଅସତ୍ୟରେ
ସଂକ୍ଷିପ୍ତ ସତ୍ୟତା
ବର୍ଣ୍ଣିଳ ପାପ ।।
ନୀରବ ନିର୍ଝର ଆଖିର ଭାଷା ହିଁ
ନିଜ ଅଜାଣତେ
ଦିଏ ଇସାରା ।
ସେଇ ଇସାରାରେ ନଥାଏ ଅସତ୍ୟ
ପ୍ରାଞ୍ଜଳତା ଅବା
ରହସ୍ୟ ଧାରା ।।
ଅବ୍ୟକ୍ତ ଅକୁହା ଦଗ୍ଧ ବିଦଗ୍ଧର
ବହଳ ବ୍ୟଥାରେ
ନମ୍ର ନୟନ ।
ଆତ୍ମ ସମ୍ମାନରେ ଆତ୍ମିକ ସନ୍ଦର୍ଭେ
ସଂଭ୍ରମେ କରେ ସେ
କାରୁଣ୍ୟ ଗାନ ।।
ହେ ନୟନ,ତୁମେ ନିର୍ବାକ ତଥାପି
ଗାଇ ଦେଇଯାଅ
ହୃଦୟ ଗାଥା ।
ମୋ'ଜାତକପୃଷ୍ଠା ତୁମେ ଦିବ୍ୟସାକ୍ଷୀ
ବ୍ୟଙ୍ଗ ବର୍ଣ୍ଣମାଳା
ଅନନ୍ତ ଗୀତା ।।
