ବ୍ଯଙ୍ଗ ପସରା-୨୨
ବ୍ଯଙ୍ଗ ପସରା-୨୨
ମାଗଣା ଅଛି ତ ଦିଅ
ଝଅଟ ଆଣିକି ଥୋଅ
ଜନମ କରିଛି ଡରଡନେ ଛୁଆ
ଖାଇବାକୁ ଦେଇ ପାରୁନି ଏ ମାଆ
କଥା ଦେଇଥିଲ ତୁମରି ଆଶ୍ରାରେ
କହୁଛ କାହିଁକି ରୁହ
ମାଗଣା ଅଛି ତ ଦିଅ।
ମାଗଣା ଅଛି ତ ଦିଅ
ନେଲାବେଳେ କହିଥାଅ
ଏବେ ତୁମ ପଛେ ଦଉଡି଼ ଦଉଡି଼
ଦେଖିଲେ ହିଁ ମୋତେ ଛାଡୁଅଛ ରଡି଼
ଏମିତି କାହିଁକି ନୀଚ୍ଚଧୀଟ୍ଟ କର୍ମ
ଦେଖାଇଲ ଚହଚହ
ମାଗଣା ଅଛି ତ ଦିଅ।
ମାଗଣା ଅଛି ତ ଦିଅ
ତୁମର ଏମାନେ ପୁଅ
ସନ୍ତାନ ବୋଲିକି କଥାରେ କଥାରେ
ମାରି ଦେଇଥିଲ ଗାରଟେ ପାଣିରେ
ଏବେ କହୁଅଛ ନିଜକୁ ସମ୍ଭାଳ
ମୁହଁ କିଆଁ ମୋଡି଼ଦିଅ
ମାଗଣା ଅଛି ତ ଦିଅ।
ମାଗଣା ଅଛି ତ ଦିଅ
ନ ହେଲେ ମାରି ପକାଅ
ଅସହ୍ଯ ହେଉଛି ଭୋକର ଯନ୍ତ୍ରଣା
କାହିଁକି ସେ'କାଳେ ଥିଲା କୁମନ୍ତ୍ରଣା
ବାରମ୍ବାର ଆସି ଭଲେଇ ହୋଇକି
ଥୋପଟେ ନିତି ପକାଅ
ମାଗଣା ଅଛି ତ ଦିଅ।
ମାଗଣା ଅଛି ତ ଦିଅ
ହୃଦୟେ ଅନନ୍ତ କୋହ
ଏବେଏବେ ତୁମେ ବଡ଼ ଲୋକ ହୋଇ
ଫିଙ୍ଗିଲ ଅସନା ମନରେ କି ଭାଇ
ବଡ଼ ଅଲାଜୁକ ଜୀବନ ତୁମର
ମୋତେ ମାରିଦେଲ ନୁହଁ
ମାଗଣା ଅଛି ତ ଦିଅ।