ବୁଝାମଣା
ବୁଝାମଣା
ଜୀବନ ସହ ବୁଝାମଣା କରି ନେଇଛି ମୁଁ ,
କଣ ବା ଆଉ କରି ପାରି ଥାଆନ୍ତି ଯେ ? ?
କେତେବେଳେ ସେ ମୋ ସହ ଲୁଚକାଳି ଖେଳୁଛି ତ ,
ଆଉ କେବେ ଉଠା ପକା ଖେଳ ।
କେବେ ଜୀବନଟା ତା ହାତରେ ଜହ୍ନକୁ ଧରି ,
ଜୋଛନାର ମୋତି ମୋ ଚାରି ପାଖେ ବୁଣି ଦେଉଛି ,
ଆଉ କେବେ ସପନ ଦୋଳିରେ ମୋତେ ଝୁଲାଇବା ଲାଗିଛି ।
ଆଉ ମୁଁ ?
ମୁଁ ବି ସେ ଜୋଛନାକୁ ଗୋଟାପଣେ ମୋ ଦେହରେ ମାଖି ,
ଏକ ସୁନ୍ଦର ଶୀତଳତାର ସୁଖଦ ଅନୁଭୂତିକୁ ନିଜର କରି ନେଇଛି ,
ସପନ ଦୋଳିରେ ଝୁଲି ଝୁଲି ଆକାଶକୁ ଛୁଉଁଛି ଭାବି ,
ନୟନରେ ଆଶାର ଆଲୋକ ଦେଖିଛି ।
ହେଲେ ଜୀବନ ପୁଣି କେତେବେଳେ ,
ଜହ୍ନକୁ ମେଘ ଆଢୁଆଳେ ଲୁଚାଇ ଦେଉଛି ,
ଆଉ ଅନ୍ଧାର ସବୁ ମୋ ଦେହେ ଗୋଟାପଣେ ନେସି ଦେଉଛି ,
ଅବା ଆଉ କେବେ ସପନ ଦୋଳିରୁ ମୋତେ ଠେଲି ଦେଉଛି ,
ମୁଁ କେତେ ବେଳେ ମୋ ଦେହର ମେଞ୍ଚା ମେଞ୍ଚା ଅନ୍ଧାରକୁ ଦେଖୁଛି ,
ଆଉ କେବେ ଶୂନ୍ଯ ଆଖିରେ ଆକାଶକୁ ଚାହିଁ ରହିଛି ।