STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ବୁଢା ମଣିଷ

ବୁଢା ମଣିଷ

2 mins
13.3K



ଧୀରେ ଧୀରେ ପାଦ ତାଙ୍କ ପଡୁଥିଲା ଆଗକୁ ଆଗକୁ

ଯୁ' ନଥିଲା ସଂଗ୍ରାମ କରିବାକୁ

ଆଉ କେତେକାଳ କରିଥାନ୍ତେ ଯୁଦ୍ଧ ନିଜ ସହ

ବେଳେ ବେଳେ ପରସହ ମଧ୍ୟ

କେତେବେଳେ ଜାଣତରେ ଅବା କେତେବେଳେ ଅଜାଣତରେ

ସବୁ ସ୍ବପ୍ନ,ସବୁ କଳ୍ପନା ବଦଳିଗଲା ସାନ୍ତର୍ପଣରେ

ପୃଥିବୀ ହୁଏତ ବଦଳିଗଲା ନିଜ ଅଜାଣତରେ

ସବୁ ଏକକାର ସୁଖ ଦୁଃଖ ଲୁହ ଲହୁ

ଜରା ବ୍ୟାଧି ଯେତେ ଯନ୍ତ୍ରଣାର ଦିଗନ୍ତ ବିସ୍ତାରୀ ସୀମାରେଖା ।

ବଦଳିଗଲା ଦୁନିଆର ଗତିପଥ

ବଦଳିଗଲା କେତେ ଯତ୍ନରେ ନିଜ ହାତେ ଗଢିଥିବା

ଚକମକ କରୁଥିବା ଅମୃତର ଅମୂଲ୍ୟ ମହଲଟି

ବଦଳିଗଲେ ଜୀବନ୍ଯାସ ପାଇଥିବା ମାଂସର ପିଣ୍ଡୁଳା ।।


ଏବେ କେବଳ ଆଗକୁ ଚାଲିବାର ବେଳ ଏକା ଏକା

ଚାହିଁବାର ସୁଯୋଗ ମିଳେନି ପଛକୁ ଯେତେ ଇଛା ଥିଲେ ବି

ଏବେ କେବଳ ଭୁଲିବାର ବେଳ ଗଢିଥିବା ସବୁ ସମ୍ପର୍କକୁ

ମୁଠା ମୁଠା ଲୁହକୁ ପିଇବାର ବେଳ

ଛାଇ ଆଲୁଅ ଖେଳର ରହସ୍ୟ ଭେଦକରିବାର ବେଳ

ଆନ୍ୟ ଏକ ନୂଆ ଫର୍ଦ ନୂଆ ସମ୍ପର୍କର

ନିଜସହ ଯୁଝିବାର ପ୍ରତ୍ୟକ୍ଷ ମୁହୂର୍ତ୍ତ

ସବୁ ତ୍ୟାଗ ବଳିଦାନ ର ଲାଭ କ୍ଷତି ହିସାବ କରିବାର ଓ

ସବୁ ଅସଂଜତ ଇଛାମାନଙ୍କୁ ସଂଜତ କରିବାର ନିରୋଳା ସମୟ

ପ୍ରକୃତିର ସବୁଜ ସବୁଜିମାକୁ ମନଭରି ଦେଖିବାର ବେଳ

ଚିହ୍ନା ଅଚିହ୍ନା ମୁହଁ ଙ୍କ ଗହଳି ଭିତରେ।।


ମୁଣ୍ଡ ଉପରର କଅଁଳ ଖରାଟି କ୍ରମଶଃ ପାକଳ ହେଲାଣି

ଚଉଦିଗ ଲୋକାରଣ୍ୟ ଧୂଳି ଧୂଆଁ କେଁ କାଁ ଶବ୍ଦମାଳ

ତଥାପି ସେ ଚାଲିଥିଲେ ଭିଡକୁ ଆଡେଇ

ଅବଶ୍ୟ ବୋଲ ମାନୁ ନ ଥିଲା ଅବଶ ପାଦଦୁଇଟି ତାଙ୍କର

ଝୁଣ୍ଟି ପଡୁଥିଲା ମଝିରେ ମଝିରେ

ସୁଁ ସୁଁ ଖୁଁ ଖୁଁ ଅସ୍ପଷ୍ଟ ଶବ୍ଦ ପ୍ରମାଣ କରୁଥିଲା ତାଙ୍କର

ଅସହାୟତାକୁ ଓ ସବୁଥାଇ କିଛି ନ ଥିବାର ଦାରିଦ୍ର୍ଯ ପଣିଆକୁ

ଧାଇଁ ଯାଇଁ ପଚାରିଲି ତାଙ୍କୁ ଅତି ବିନମ୍ରତାରେ

କ'ଣ ତାଙ୍କ ପରିଚୟ କେଉଁଠି ତାଙ୍କ ଗନ୍ତବ୍ୟ ସ୍ଥଳ

ଏ ବୟସରେ ପୁଣି ଏ ଅସମୟରେ

"ବୁଢା ମଣିଷର କ'ଣ କିଛି ପରିଚୟ ଥାଏ ବାବୁ ?"

"ଥୁଣ୍ଟା ବରଗଛଟିର କି ଲୋଡା ଥାଏ ? ",ଉତ୍ତରଦେଲେ ସେ ।।


ଏକ ଲୟରେ ଚାହିଁଥିଲି ମୁଁ ତାଙ୍କର ସଜଳ ଆଖି ଦୁଇଟିକୁ

ଭାବୁଥିଲି ବୋଧହୁଏ ବୟସ୍କମାନଙ୍କର କିଛି ଠିକଣା ନ ଥାଏ

ଗନ୍ତବ୍ୟ ସ୍ଥଳ ପାଦ ଯେତେବାଟ ଆଗକୁ ଟାଣିନିଏ

ଆଙ୍କିଥିବା କେତେ ଛବି ତାଙ୍କ ହାତରେ ନଥାଏ

ମନ ତାଙ୍କ ବୋଲ ମାନୁ ନଥାଏ

ଖାଁ ଖାଁ ଏକଲା ପଣ ଗ୍ରାସିଥାଏ ମାଟିରୁ ଆକାଶ

ନିସ୍ପନ୍ଦ ନିଃଶବ୍ଦ ନିଃସଙ୍ଗତା ର ବିକଟାଳ ରୂପ,

ବୟସର ସାୟହ୍ନଟା କେତେ ଅସହାୟ

କେତେ ଯନ୍ତ୍ରଣାକ୍ତ ମୁହୂର୍ତ୍ତ ସତେ !!!

------'------'---------

ଶରତ କୁମାର ଦାସ, ବଡବିଲ ମହାବିଦ୍ୟାଳୟ, ବଡବିଲ।


Rate this content
Log in