STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ବର୍ଷାଭିଜା ରାତି

ବର୍ଷାଭିଜା ରାତି

1 min
231


ମେଘ ମେଦୁରିତ ଆକାଶର ପଥ

ବହଳ ଅନ୍ଧାର ରାତି

ଝର ଝର ଝରେ ପୀୟୂଷର ଧାର

ତପ୍ତ ହୃଦେ ଖେଳେ ଜ୍ୟୋତି ।।  


ସାଇଁ ସାଇଁ ଶୁଭେ ଝିଙ୍କାରୀ ଝଙ୍କାର

ଚମକ ଚପଳା ଖେଳେ

ମୃଦୁ ସମୀରଣ ଧୀର ପାଦ ଥାପି

ମାଟିରେ ମହକ ଢାଳେ  ।। 


ଅଳସ ଉଦାସ ଉତ୍ତପ୍ତ ମୁହୂର୍ତ୍ତ

ସ୍ନିଗ୍ଧ କୋମଳ ସ୍ପର୍ଶେ

ଉଚ୍ଚାଟରେଭରା ଭାଷା ତ ନିଆରା

ସିକ୍ତ ଅନୁରାଗେ ହସେ  ।। 


ଟିପି ଟିପି ବର୍ଷା ରିମଝିମ ସୁର

ମୁଗ୍ଧ ମୂର୍ଚ୍ଛନା ତୋଳେ

ହୃଦୟର ଯେତେ ଅବରୁଦ୍ଧ କୋହ

ଲିଭିଯାଏ ଅବହେଳେ  ।।


ମେଘର ମହ୍ଲାର ଭାଙ୍ଗିଦିଏ ଯେତେ

ଅଶାନ୍ତ ପ୍ରାଣର ବ୍ୟଥା

ମୟୂରୀ ନର୍ତ୍ତନେ ଶୁଷ୍କ ଉପବନ

ଲାଭକରେ ପ୍ରାଣସତ୍ତା  ।।


ଦୂର ଶାଳବଣ ସ୍ବପ୍ନସିକ୍ତ ହୁଏ

ନୀରବତା ମାରେ ହାଇ

ନିଶୀଥ ପ୍ରହର ଗଡିଗଡି ଯାଏ

ଲିଭି ଲିଭିଯାଏ ଛାଇ  ।। 


ଦୂର ଚକ୍ରବାଳେ ପାହାନ୍ତିଆ ତାରା

ପ୍ରୀତିର ସଂଗୀତ ଗାଏ

ଭିଜାଭିଜାମାଟି ଭୁରୁଭୁରୁ ବାସ୍ନା

ତୃପ୍ତିର ସନ୍ଦେଶ ଦିଏ  ।। 


ମୁକ୍ତି ଶିହରଣ ସୁପ୍ତ ଚେତନାରେ

ନୀଡବାନ୍ଧେ ନିରୋଳାରେ

ନୀରବ ନିଃସଙ୍ଗ ନିଥର ପ୍ରହର

ଶାନ୍ତିରେ ନିଶ୍ବାସ ମାରେ  ।।


କାଳରାତ୍ରିର କଳାଛାଇ ଯେତେ

ଅପସରି ଯାଏ ଭବେ

ନଭମଣ୍ଡଳରେ କଅଁଳ ସୂରୁଜ

ରଶ୍ମି ଢାଳିଦିଏ ଯେବେ ।।


ବର୍ଷାଭିଜାରାତି ନୀରବି ଗଲାଣି 

ଧରା ହସେ କିରିକିରି

ସାତରଂଗର ସାତସ୍ପର୍ଶ ଦେଇ

ସ୍ବପ୍ନ ଆସେ ଅସୁମାରି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍