ବର୍ଷା
ବର୍ଷା


ରୌଦ୍ର ତାପ ଅପସରି ଗଲାପରେ
ତୁମେ ଅବତର ଧରାପୃଷ୍ଠେ
ମନପ୍ରାଣ ଆହ୍ଲାଦିତ ପାଇଁ
ବିତରି ଦିଅ ଶୀତଳ ପରଶ ।
ରୁକ୍ଷ ଶୁଷ୍କ ଧରଣୀ ବି
କଡ ଲେଉଟାଏ
ପୂର୍ଣ୍ଣଗର୍ଭା ହୁଏ ନଦୀ
ଦୂର୍ବାଦଳେ ଉଲ୍ଲସନ୍ତି
ସାଧବାଣୀ ବୋହୁ ନେଇ
ମଣ୍ଡୁକ ମଣ୍ଡୁକିଙ୍କ ସମ୍ଭାଷଣେ
ଉଚ୍ଛୁଳେ ନଦୀନାଳ
କଚ୍ଚା ରାସ୍ତାର କାଦୁଏ
ମଜା ଲାଗେ ପାଦ ଘୋଷାରି
ଘୋଷାରି ଚାଲିବାକୁ
ଚାଳପାଣିରେ ଭାଷେ
କାଗଜଡଙ୍ଗା ସହ ମନ
ଭିଜି ଭିଜି ସ୍କୁଲ ଯିବା
ଏବେବି ଶୀହରି ଯାଏ ଶରୀର
ହଜିଲା ଦିନକୁ ହେଉଛି ହେଜି
ଧାନର ସବୁଜିମା
ଲହରି ଭାଙ୍ଗେ
ପାଣି ମାପିବାରେ ବ୍ୟସ୍ତ
ହିଡ ପରେ କଙ୍କଡ଼ାମାନେ
ପାହାଡ଼ କନ୍ୟାର ଲମ୍ଫେ
ଭୟର ସଞ୍ଚାର କରେ ତ
ଟଗର ମଲ୍ଲୀ ମାଳତୀ
ଧଉଳାଇ ଦିଅନ୍ତି ଧରା
କିଆ କେତକୀ ଚହଟନ୍ତି
ଗାଁ ହୁଡା ମଶାଣିରେ
ବଜ୍ର ଆଉ ନଦୀ
ଦୁଃଖର କାରକ
ଏ କାଳେ ସବୁ ସୁଖ ମଧ୍ୟେ ।