ବର୍ଷା
ବର୍ଷା
ବର୍ଷା ଆସିଛି – ମୋ ମୌସୁମୀମନସ୍କା ପ୍ରିୟାର ପଣତକାନିରେ
ନାଲି ଟୁକୁଟୁକୁ ସାଧବବୋହୁର ଅପାପବିଦ୍ଧ ହସରେ
ଭାଷାର ଲାଳିତ୍ୟରେ, ଭାବର ଗାମ୍ଭୀର୍ଯ୍ୟରେ,
ଶୈଳୀର ଚାତୁର୍ଯ୍ୟରେ ।
ବର୍ଷା ଆସିଛି - ଅବକ୍ଷୟମୁଖୀ ନୈତିକ ମୂଲ୍ୟବୋଧର
କଳାପାହାଡ଼ିରେ
ବେଳାଭୂମିରୁ କ୍ରମଶଃ ଅପସୃୟମାଣ ପଦଚିହ୍ନରେ
ଋତୁଚକ୍ରର ଅସ୍ୱାଭାବିକତାରେ - ଅପେକ୍ଷିତ ବିଳମ୍ବରେ ।
ବର୍ଷା ଆସିଛି – କ୍ରମବର୍ଦ୍ଧିଷ୍ଣୁ ରୂପେ ମହଙ୍ଗା ପରିବା ବୋଝରେ
କୃଷି କର୍ମଶଂକ ଆଶ୍ଵସ୍ତିର ସନ୍ଦେଶରେ
କଳାକୃତିର ଭ୍ରାନ୍ତ ମୂଲ୍ୟାୟନରେ –
ପୁଞ୍ଜିଭୂତ ଅସନ୍ତୋଷରେ ।
ବର୍ଷା ଆସିଛି – ବିକାଶ ଉତ୍ସବର କାଦୁଅଫିଙ୍ଗା
ରାଜନୀତିରେ
ପରସ୍ପର ବିରୋଧୀ ବିବୃତି – ଆକ୍ଷପେ ଓ ପ୍ରକ୍ଷେପରେ
ଭିଜନ୍-୨୦୩୦ର ଅବାସ୍ତବ ଅଭିଷେକରେ ।
ବର୍ଷା ଆସିଛି – ଯୋଗ ପରମ୍ପରାର ପୁନରୁତ୍ଥାନରେ
ଅକୁଣ୍ଠିତ ଆତ୍ମୋତ୍ସର୍ଗର ଅବେଲକର
କାହାଣୀରେ
ଆହାର, ଆଶ୍ରୟ, ନିରାମୟ, ଉଜ୍ଜଳା ପରି
ଆତ୍ମବଡିମା ଭରି ଯୋଜନାରେ ।
ବର୍ଷା ଆସିଛି - ଭୂଲୁଣ୍ଠିତା ଭୂମାର ଭରସାବିହୀନ
ଭସା ବାଦଲରେ
କର୍ଷଣ, ପ୍ରତିରୋପଣ ଭଳି ବ୍ୟସ୍ତବହୁଳ
କାର୍ଯ୍ୟକ୍ରମର ଅନ୍ତରାଳରେ
ସରଳା ଗ୍ରାମ୍ୟ କିଶୋରୀର ହଷୋଲ୍ଲାସରେ ।
ବର୍ଷା ଆସିବ – ଋତୁଚକ୍ରର ନିୟମିତତାରେ-ପାରଦର୍ଶୀ
ସ୍ଵାଭାବିକତାରେ
ପ୍ରାଣପ୍ରାଚୁର୍ଯ୍ୟଭରା ପରିବେଷ୍ଟନୀର ପ୍ରତିବିମ୍ବରେ
ପ୍ରତି ପ୍ରଜାତିର, କବିତାରେ-ପରିପୁଷ୍ଟ କାରୁକାର୍ଯ୍ୟରେ
ପ୍ରବେଶ ଓ ପ୍ରସ୍ଥାନ ମଧ୍ୟବର୍ତ୍ତୀ ପ୍ରକୃଷ୍ଟ ମୁହୁର୍ତ୍ତରେ
ପ୍ରୀତିଭରା, ବିକଶିତ କର୍ମସଂସ୍କୃତିସମ୍ପନ୍ନ ପ୍ରଶାସନରେ
ମୋ ପ୍ରୀତିସିକ୍ତ ପ୍ରିୟାର ନିରବିତ ଉଜାଣି ଯମୁନାରେ
ସର୍ବୋପରି - ପ୍ରଗତି ଓ ପରିବର୍ତ୍ତନର ସାର୍ଥକ ସ୍ଵପ୍ନରେ ।