ବର୍ଷା ତୁମେ
ବର୍ଷା ତୁମେ
ବର୍ଷା ତୁମେ ଏଇ ଆଷାଢ଼ ଆକାଶର
ଅଭିମାନ ତ ନୁହଁ !
ଏମିତି ଅବେଳରେ ବର୍ଷି ଯାଉଛ ଯେ.....!
ବର୍ଷା ତୁମେ ଭସା ବାଦଲର
ପଣତ ତ ନୁହଁ !
ମନଟାକୁ ଏମିତି ଛୁଇଁ ଦେଇ ଯାଉଛ ଯେ...।
ବର୍ଷା ତୁମେ ମୋ ଅଗଣାର
ଘୁଙ୍ଗୁର ତ ନୁହଁ !
ମିଛଟାରେ ଛମ୍ ଛମ୍ ନାଚି ଯାଉଛ ଯେ....।
ବର୍ଷା ତୁମେ ସେଇ ଚପଳ ଚିତ୍ରକାରର
ଆଧୁନିକ ଚିତ୍ରକଳା ତ ନୁହଁ
ଏମିତି ଅବୁଝା ରହି ଯାଉଛ ଯେ..।
ବର୍ଷା ତୁମେ କେଉଁ କବିର
ଅବାସ୍ତବ କଳ୍ପନା ତ ନୁହଁ !
ଏମିତି ନିମିଷକେ ମିଳେଇ ଯାଉଛ ଯେ....।
ବର୍ଷା ତୁମେ ପଥହୁଡ଼ା ପଥିକର
ଅଙ୍କାବଙ୍କା ପାଦ ଚିହ୍ନ ତ ନୁହଁ !
ପାନ୍ଥଶାଳାର ଚାରିକାନ୍ଥ ପରେ ଏମିତି ଅଦୃଶ୍ୟ ହେଉଛ ଯେ....।
ହେଲେ ବର୍ଷା ତୁମେ ମୋ ପାଇଁ
ସେଇ ସ୍ଵର୍ଗୀୟ ଭାବନା
ଭାବମୟ କାମନା ଆଉ
କମନୀୟ ଯାତନା
ତୁମ ଅପେକ୍ଷାରେ ଦ୍ରବୀଭୂତ ହୁଏ,
ସିକ୍ତ ହୁଏ , ସନ୍ତାପିତ ହୁଏ......।।
