ବର୍ଷା ତୁମେ ଭାରି ବଦମାସ୍
ବର୍ଷା ତୁମେ ଭାରି ବଦମାସ୍
ବର୍ଷା.... !!
ତୁମେ ସତେ
ଭାରି ବଦମାସ୍...!
କେବେ ଉର୍ବର
ପୁଣି କେବେ ବର୍ବର...
କେବେ ତୁମେ
ବୈଶାଳୀର ରାଜବଧୂ,
କେବେ ପୁଣି
ଈର୍ଷା ନଗରୀର କୁଳବଧୂ... !
କେବେ ତୁମେ
ଚର୍ଚ୍ଚିତ ଚକୋରୀ,
ପୁଣି ତୁମେ
କଣ୍ଟାବଣର
କଣ୍ଟକିତ ଗୋଲାପ... !!
ଅତର୍କିତ ହୋଇ
ଅସମୟରେ ଆସ,
ଆସି ଠକ୍ ଠକ୍ କର
ମୋର ଆଉଜା କବାଟରେ... !
ବେଳେବେଳେ ଭାଙ୍ଗିଦିଅ
ମୋର ସଂକଳ୍ପିତ
ଆଗାମୀ ଦିନର
ସୁନେଲି ସପନ ସବୁକୁ.... !
ତୁମେ ତ ଆସ !
ଆସିଲା ବେଳେ ,
ସାଥିରେ ନେଇ ଆସ
ପୁଳାଏ ପବନ,ବହଳେ ବତାସ...
ତୁମକୁ ଦୟା ଲାଗେନି ?
ଦେଖ ତ...!
ଭାଙ୍ଗିଦିଅ
ନିରୀହ ଚଢ଼େଇର ବସା !!
ଦୁର୍ଦ୍ଦାନ୍ତ ଦୁନ୍ଦୁଭି ନେଇ
ତୁମ ସଙ୍ଗେ ମାଡି ଆସେ
ବିକଟାଳ ବଜ୍ରପାତ... !!
ଛାରଖାର କରିଦିଏ
ଗରିବର କଙ୍କର କୁଡ଼ିଆଟିକୁ !!
କ'ଣ ବ
ା କରିବ ?
ତୁମେ ତ ପ୍ରକୃତିର
ଅବିଚ୍ଛେଦ୍ୟ ଅଙ୍ଗ,ପୁଣି
ନିୟତିର ଅନୁକ୍ରମଣିକା !
ମୁଁ ବି କେତେ ସତେ
ନିର୍ଦ୍ଦୟ,ଅବିଚାରୀ,
ଅପରିଣାମଦର୍ଶୀ... !
ହାରିବାର ଭୟ,ଆଉ
ହରାଇବାର ଉଦ୍ଦାମ ସର୍କସ୍ ମୋର ।
ସ୍ୱାର୍ଥପର ହୋଇ ଖୁଣି ଦେଉଥାଏ
ତୁମରି ପ୍ରତିଟି ଶାଖା ପ୍ରଶାଖାକୁ... !!
ସହିବାର ଗୋଟାଏ ସୀମା ଅଛି ।
କେତେ ବା ସହିବ ତୁମେ....!!!
ନହେଲେ,
ଶ୍ରାବଣରେ
ଶ୍ରାବଣୀ ରୂପରେ
ନୂଆ ବୋହୂଟିଏ ହୋଇ
ପାଟ ଓଢଣୀରେ ଢାଙ୍କିଦିଅ
ମୋର ଶୁଖିଲା ସୋହାଗ !
ରୁଦ୍ର ଋତୁରେ
ତୁମେ ଅତର୍କିତ ଆଗମନ କରି
ମେଣ୍ଟେଇଥାଅ ବୈଶାଖର,
ନିଦାଘର ସଂକ୍ରମିତ ଶୋଷକୁ.... !
ତୁମକୁ
ବଦମାସ୍ ବୋଲି
କହିବି କେମିତି....
ବରଂ,ତୁମେ ଚପଳ ଚର୍ଚ୍ଚିକା...
ବରଂ,ତୁମେ ଋତୁରେ ଋତୁରେ
ସୁରମ୍ୟା ଋତୁ ନାୟିକା....!
ବରଂ,ତୁମେ ଜୀବଜଗତର
ଜୀବନ ଭିତ୍ତିରେ
ଆଶାର ଅଭିସାରିକା... !!