ବର୍ଷା ରାଣୀ
ବର୍ଷା ରାଣୀ
ଋତୁର ରାଣୀ ବର୍ଷା
ଯିଏ ଆସିଥାଏ ଦାଣ୍ଡ ଦୋଲୁକାଇ
ଘଡ଼ଘଡ଼ି ନାଦକୁ ଚିକିମିକି ବିଜୁଳି
ଆଉ ଇନ୍ଦ୍ରଧନୁଙ୍କ ସପ୍ତରଙ୍ଗରେ।
ବର୍ଷା କ'ଣ କି?
ଗୋଟେ ଭସାବାଦଲ,ଗୋଟେ ଅମୃତର ଗାଈ
ଯିଏ ଏ ଗାଁ'ରୁ ସେ ଗାଁ
ଏ ସହରରୁ ସେ ସହର
ଖାଲି ଘୂରିବୁଲେ ଗଳିକନ୍ଦି
ପ୍ରାଣୀ ଓ ଉଭିଦଙ୍କ ପାଇଁ।
ତାର ତ ସଜେଇବା ନିଶା
ଏ ଧରା ଧାମକୁ
ମନୋରମ ଆଉ ସୌନ୍ଦର୍ଯ୍ୟ କରିବାକୁ
ଝଲସେଇ ଦେବାକୁ ପ୍ରତିଟି ହୃଦୟ
ଭାବୁକ ହିଁ ଭାବିପାରେ,ବୁଝିପାରେ
ଈଶ୍ୱରଙ୍କ କଳା ଓ କୌଶଳ
ଯିଏ କବି ଓ ଲେଖକ।
ଦେଖ ଚାରିଆଡ଼କୁ
ଧୂଳି ନା ମଳି?
ନିର୍ମଳତାରେ ସୁନ୍ଦର ପରିବେଶ
ପକ୍ଷୀ ଗାଉଚି ଗୀତ,ବେଙ୍ଗର ହୁଳହୁଳି
ନାଚୁଚି ମୟୂର ପୁଛକୁ ମେଲେଇ
ଆଉ ହରିଣର କନକନ ମନ
ପ୍ରେମରେ,ସ୍ନେହରେ ଆଉ ଭକ୍ତିରେ
ଶତ ଧନ୍ୟବାଦ।
ଛତୁ ତ ରାଜା ପରି ଠିଆ
ସାଧବ ବୋହୂର ଠୁକୁଠୁକୁ ଚାଲି
ଭଲକି ଚାଲି ନ ଥିବା ଶିଶୁ
କାଦୁଅ ଓ ପାଣିରେ ଖେଳ
ଆଉ କୁମ୍ଭାରଘର ତିଆରିରେ ମଗ୍ନ
ଦାଣ୍ଡ ମାହାରା ବଢୁଛି ଆଣ୍ଠୁଏ
ଚାଷୀ ଚାଷରେ ମସଗୁଲ
ବର୍ଷକର ଖାଦ୍ୟ ସଞ୍ଚି
>
ଯୋଗାଇ ଦେବ ଦେଶ ଓ ବିଦେଶ
ତେଣୁ ବିଲରେ ହଳ ବଳଦଙ୍କ ସହ
ଗେଲ ଅଳସ ଦୂରେଇ
ତଳି ଲଗାଉଥିବା ଯୁବକ ଯୁବତୀ
ଗୀତରେ ଗୀତରେ
ପରିବେଶକୁ ଉଛୁଳାଇ ଭାରି ଆନନ୍ଦିତ
ଦେହ ଓ ମନରେ।
ପୁଣି କେତେ ଉପକାର
ନ କରୁଛି କୁହ !
ବର୍ଷାର ତାଣ୍ଡବେ ଏ ଧରା ଧାମକୁ
କିଏ ବି ମତୁଆଲା ବର୍ଷା ଆଗମନେ
ନଦୀକୂଳ ଉଛୁଳେ
ପୋଖରୀର ପେଟ ପୂରିଯାଏ
ଜଳଚର,ନଭଚର ଓ ସ୍ଥଳଚର
କାମନାରେ ବ୍ୟସ୍ତ
ଗୋଟେ ଯୁଗର ତପସ୍ୟା
ଏ ବର୍ଷା ଆଗମନେ।
ହେ ବର୍ଷା !
କେବେକେବେ ବଡ଼ ଅପକାର
କନ୍ଦାଅ ପ୍ରାଣୀ ଉଭିଦଙ୍କୁ
ବନ୍ୟା ଓ ବାତ୍ୟାରେ
ଚାଟିନିଅ ଲହଲହ ଜିହ୍ୱାରେ।
କିନ୍ତୁ ପର୍ବ ପର୍ବାଣୀରେ
ଆହା !
କେତେ ଯେ ଆନନ୍ଦ
ପ୍ରେମର ଦୀପାଳି,ଧର୍ମର ଶଙ୍ଖ ଆଉ କର୍ମର ନୈବେଦ୍ୟ
କେବଳ ହିଁ କେବଳ
ତୁମ ପାଇଁ ଆଉ ତୁମ ଆଗମନେ
ଉଜାଗର ଏ ସଂସାର ହାଟରେ।
ହେ ବର୍ଷା !
ତୁମକୁ କୋଟିଏ ଜୁହାର ଆଉ ଧନ୍ୟବାଦ
ତୁମର ଯାଚିତ ଧନରେ
ମଜ୍ଜିଥାଉ ଆଉ ହଜିଯାଉ
ଏ ବର୍ଷାର କାଳରେ।