ବର୍ଷା ଆଗମନେ
ବର୍ଷା ଆଗମନେ
କି ସୁନ୍ଦର ଦିଶେ ଧରଣୀର ବୁକୁ
ବରଷାର ଆଗମନେ
ଚନ୍ଦ୍ରିକା ହଲେଇ ନାଚୁଛି ମୟୂରୀ
ଗହନେ ଲତା କାନନେ।
ଚଷା ଭାଇ ମନ ଆନନ୍ଦେ ଉଲ୍ଲାସେ
ଗାଇଯାଏ କେତେ ଗୀତ
ସାରୁ ବୁଦା ମୂଳେ ଛାଡ଼ୁଛନ୍ତି ରଢ଼ି
ବସି,ବେଙ୍ଗ ବେଙ୍ଗୁଲୀ ମିତ।
ଚାତକର ଖୁସି କହିଲେ ନସରେ
ଜଳ ଧାରା ଟିକେ ପାଇ
ଶୂନ୍ୟ ଆକାଶରେ ମେଘ ମାଳ ମାଳ
ଆସୁଛନ୍ତି ବେଗେ ଧାଇଁ।
ବାଳକ ବାଳିକା କାଗଜର ଡଙ୍ଗା
ଖୁସି ମନେ କରୁଥାନ୍ତି
ଛତ୍ର ଖୋଲା କରି ରଜା ହେବା ପାଇଁ
ଛତୁ ଯେ ଠିଆହୁଅନ୍ତି।
ପୁରି ଯାଏ ଖାଲ ବିଲ ବାଡ଼ି ନଈ
ସବୁ ଦିଶେ ଜଳମୟ
ପ୍ରୀତି ବାଢିବାକୁ ପ୍ରେମିକ ପ୍ରେମିକା
ମନ,ହେଉଥାଏ ଯେ ଅଥୟ।
ଶିହରଣ ଖେଳେ ଦେହସାରା ପୁଣି
ଶୀତଳ ପବନ ସ୍ପର୍ଶେ
ବିରହି ମନରେ ପ୍ରେମର ବାରିଧି
ସୁଅ ପରି ଭାସି ଆସେ।
ସନ୍ତାପିତ ମନେ ଭରେ ଆଶ୍ୱାସନା
ଶୀତଳ ବାରିକୁ ଢ଼ାଳି
ବିଦଗ୍ଧ ଆତ୍ମାରେ ପ୍ରାଣ ସଞ୍ଚରାଏ
ଦୁଃଖ କଷ୍ଟ ସବୁ ଜାଳି।
