ବର୍ଣ୍ଣିଳ ଇସ୍ତାହାର
ବର୍ଣ୍ଣିଳ ଇସ୍ତାହାର
ଆଃ କି ସୁଗନ୍ଧ ବିଭୋର
ସେଇ ସମ୍ମୋହକ ସ୍ବର
ପ୍ରୀତି ସ୍ପନ୍ଦନର
ଜୀବନ ବୀଣାର
ଆକାଶର ନୀଳ ଆସ୍ତରଣ ପରି
ତୁମ' ନିଶବ୍ଦ ନୀଳ ଇସାରା
ଛଳଛଳ ଋତୁର ପ୍ରଥମ ବାରିଧାରା
ଖୁବ୍ ଅନ୍ତରଙ୍ଗ ମୋର
ଏକାନ୍ତ ନିଜର
ତୁମ' ଶ୍ୟାମଳ ମାୟାର ଛୁଆଁ
ଝୁରେ ଆଖି ସତେ'କି କିମିଆଁ
ବେଶ ବଦଳେଇ ସାମ୍ନାରେ ହୁଏ ଠିଆ
ସେଇ ଆତୁର ଡାକରେ ଦିନ ଯାଏ ବିତି
ସେଇ ଆତ୍ମୀକ ଆଲିଙ୍ଗନେ ବି ଆସେ ରାତି
ଏହିକି ସେ ପ୍ରେମିଳସତ୍ତା
ଯିଏ ,ଭିଜେଇ ଦିଏ ମୋ ଆଖିପତା
ଏହିକି ସେ ଶୀତଳ ଉଷ୍ମତା
ଯହିଁରେ ଭରିଛି ମୋ ପ୍ରେମର ଆଦ୍ରତା
ଏବେ'ବି ତ ସ୍ପଷ୍ଟ ଶୁଭେ
ଠିଆ ହେଲେ କାନ୍ଥକୁ ଆଉଜି
ଚୁପ୍ ଚାପ୍ ଆଖିବୁଜି
ଭାଷା ତୁମ' ପାଲଟେ କବିତା
ଅନୁଭବ ହୁଏ ନିତି
ତୁମ' ଅନ୍ତଃହୀନ ଆତ୍ମୀୟତା
ଝୁରେ ମନ ସେସବୁର ସ୍ବଚ୍ଛନ୍ଦ ସାବଲୀଳତା
ଅସହାୟ ସମୟର ଏଇ ନିସଙ୍ଗ ବେଳାରେ
ଆଶା ଆଶଙ୍କା ଓ ଇଚ୍ଛା ଅନିଚ୍ଛାର
ଫେଣ୍ଟାଫେଣ୍ଟି ଭାବନାକୁ
ତୋଳିନିଅନ୍ତନି ଥରେ
ଅନେକ ଅନିଦ୍ରା ରାତିକୁ
ଆଖିରେ ମୋ ମାଖିଦେଇ
ମୁଁ ଶୋଇଯାଆନ୍ତି ନିଶ୍ଚିନ୍ତରେ ।