ବୋଉ
ବୋଉ
ଦଶ ମାସ ଯିଏ ଗର୍ଭରେ ରଖିଲା
ତା ଆହାରେ ଆମ ଶରୀର ଗଢିଲା
ଧରାପୃଷ୍ଠେ ଯିଏ ଆମକୁ ଆଣିଲା
ସିଏ ତ ଆମରି "ବୋଉ" ।
ତା ବୁକୁ ଶୋଣିତ କରାଇଲା ଶକ୍ତ ,
କୋଳରେ ଜାବୁଡ଼ି ପଣତେ ଘୋଡାଇ
ନିତି ଲୁହ ପିଇ ଯିଏ କରିଲା ମଣିଷ
ସିଏ ତ ଆମରି "ବୋଉ" ।
ଅଳି ଅରଦଳି ରଖେ ସେ ଆମରି
ଝୁଣ୍ଟିବା ଆଗରୁ ଧରଇ ହାତ ,
ଅଝଟ ସନ୍ତାନେ ଦିଏ ଯେ ସାନ୍ତ୍ଵନା
ସିଏ ତ ଆମରି "ବୋଉ" ।
ଯା ହାତରେ ଅଛି କୁହୁକ ପସରା
ହାତ ବୁଲେଇଲେ ମହକେ ପାକଶାଳା,
ତୋରାଣି ମୁନ୍ଦେ ରେ ପେଟ ଯେ ପୁରାଏ
ସିଏ ତ ଆମରି "ବୋଉ"।
ମାଟି ପିଣ୍ଡୁଳା କୁ କରେ ସେ ମଣିଷ
ଆଦ୍ୟ ଗୁରୁ ମାଆ ଜାଣେ ଏ ଜଗତ,
ଜୀବନ ତମାମ ଖୁସି ରଖଇ ସନ୍ତାନେ
ସିଏ ତ ଆମରି "ବୋଉ" ।
ରାତି ରାତି ନିଦ ହଯିଯାଏ ତା'ର
ସନ୍ତାନ ର କଷ୍ଟ ସହି ନପାରି ,
ମନ ଦୀପ ଜାଳେ ପ୍ରଭୁ ଙ୍କ ପାଖରେ
ସିଏ ତ ଆମରି "ବୋଉ"।
ବିଶାଳ ତା ହୃଦ କୋମଳ ତା ମନ
ଆମ ପାଇଁ ସିଏ ଖଟେ ରାତି ଦିନ ,
ଯେତେ ବା ଯନ୍ତ୍ରଣା ସହି ଆମ ପାଇଁ
ହସି ହସି ରହେ ତୁନି ହୋଇ
ସିଏ ତ ଆମରି "ବୋଉ" ।
ଆମେ ହସୁଥିଲେ ତା ମନ ପ୍ରଫୁଲ୍ଲ
ଆମ ଦୁଃଖ ରେ ଭାଙ୍ଗେ ତା ହୃଦୟ ,
ଅନ୍ତିମ କାଳେ ବି ଆଶିଷ ଅଜାଡେ
ସିଏ ତ ଆମରି "ବୋଉ" ।
