ବୋଉ କୁ ଚିଠି
ବୋଉ କୁ ଚିଠି


ପ୍ରଣାମଟି ମୋର ନେଉଥା ବୋଉ ଲୋ
ଶୁଣାଇବୁ ବାପା କାନେ
ଦୂର ରାଇଜରେ ରହିଛି ତୋ ଝିଅ
ଦୁଃଖ କରିବୁନି ମନେ
ଅନ୍ତ ଚିରି ମତେ ଜନ୍ମ ଦେଇଥିଲୁ
କାହିଁ ପର କଲୁ କହ
ଏତେ ଦୂରେ ମତେ ବାହା କରିଦେଲୁ
ଝୁରୁଛି ତତେ ତୋ ଝିଅ
ଘର କଥା ମତେ ମନେ ପଡୁଛିଲୋ
ଆଖିରୁ ଝରଇ ଲୁହ
ଗେଲ ବସରରେ ଦିନ ସରୁଥିଲା
ମନେରେ ଉଠଇ କୋହ
ଦେଖି ଆସିଥିଲି ଆମ ବାଡିରେ ଲୋ
ସଜନା ଛୁଇଁ ଯେ କେତେ
ସାହି ଝିଅଙ୍କୁ ତୁ କହିବୁ ଲୋ ବୋଉ
ପାଶୋରି ନ ଦେବେ ମୋତେ
ମନେ ପଡେ ତୋର ରନ୍ଧା ତିଅଣ ଲୋ
ଖାଇ ପାରୁନାହିଁ ଭାତ
ଆମ ଗାଆଁ ଯାତରା କେବେ ହବ ବୋଉ
ଦେଖିବି ମୁଁ ଦୋଳ ଯାତ
ଶୁଣି ଆସିଥିଲି କାଳିଆ ଠାକୁର
ରଥରେ ବସିବେ ପରା
ହତଭାଗିନୀ ମୁଁ ଦୂରେ ରହିଲି ଲୋ
ଦେଖି ପାରିଲିନି ଯାତରା
ସାହି ନୂଆଁ ବୋହୂ ମନେ ପଡୁଛି ଲୋ
କେତେ ଗେଲ ଥଟ୍ଟା କରୁ
ହଜିଗଲା ଆମ ଗାଆଁରୁ ନା ଲୋ
ଝୁରି ଝୁରି ଏଠି ମରୁ
ଗୁହାଳ ପିଢ଼ାରେ ପୋଇ ମାଡିଥିଲା
ଦେଖି ମୁଁ ଯେ ଆସିଥିଲି
ଲେଉଟିଆ ଶାଗ ବୁଣା ହୋଇଥିଲା
ଆଣିବେ କି ବାପା କାଲି
ବାରି ବରକୋଳି ମନେ ପଡୁଛି ଲୋ
ଖାଇଥିଲି ମୁଁ ଯେ କେତେ
ତୋଳିକି କିଛିଟା ପଠେଇବୁ ବୋଉ
ମୁନା ସାନ ଭାଇ ହାତେ
ବାପାଙ୍କୁ କହିବୁ ଆସିକି ନେବେ ଲୋ
ଗାଆଁକୁ ମୁଁ ବୁଲି ଯିବି
ଘର ବସା ଦହି ପଠେଇବୁ ବୋଉ
ପାଟିରେ ଟିକିଏ ଦେବି
ରଜ ଭାର ଯେବେ ପଠାଇବୁ ବୋଉ
ପାନ ଗୁଆ ଦେଇଥିବୁ
ଚାହିଁ ବସିଛନ୍ତି ଶାଶୁ ଶଶୁର ମୋ
ଛୋଟ ମତେ ନ କରିବୁ
ଦେହ ମୁଣ୍ଡର ତୋ ନବୁ ଲୋ ଯତନ
ବାପାଙ୍କ କଥା ବୁଝିବୁ
ସବୁ ପରବରେ ମୋ ପାଖକୁ ବୋଉ
ଭାଇଙ୍କୁ ପଠାଉ ଥିବୁ
ଘର ଅଗଣାରେ ଫୁଲ ଗଛଟିଏ
ଆସିଥିଲି ଯେ ଲଗାଇ
ଖରା ତେଜରେ ଶୁଖିଯିବ ବୋଉ
ଦେଖୁଥିବୁ ଟିକେ ଯାଇଁ
ଦେଖି ଆସିଥିଲି ଆମ କାଳି ଗାଇ
ଛୁଆ ଦବାର ଯେ ଥିଲା
ହତଭଗିନୀ ମୁଁ ରହିଛି ଦୂରେ ଲୋ
ପାଟି କି କ୍ଷୀର ନ ଗଲା
ସଂଖୁଳା ଭାରଟି ପଠାଇ ଦବୁ ଲୋ
ଆସିବ ବାରିକ ନେଇ
ଯାଇପାରୁନାହିଁ ଆମ ଘରକୁ ଲୋ
ବାଟ ମୋର ପଡି ଥାଇ
ଆମ ଗାଆଁ ପୋଖରୀ ଚୁନା ମାଛରେ ଲୋ
ଲୋଭ ମୋର ଭାରି ଥାଏ
ବେସର କରନ୍ତି ତାହାକୁ ବୋଉ ଲୋ
ଆଣି ଦେବ ଯଦି କିଏ
p>
କୁଆଁର ପୁନେଇ ଆଗକୁ ଅଛି ଲୋ
ମନେ ପଡେ ଚାନ୍ଦ ରାତି
ସାଙ୍ଗ ସାଥି ମେଳେ ରାତି ପାହିଯାଏ
ବିଦାରି ହେଉଛି ଛାତି
ଲେମ୍ବୁ ତୋଳି ଖାଉ ଚୋରାଇ ବାଡିରୁ
ସାହି ଝିଅ ସାଙ୍ଗ ହୋଇ
ଚିଠିରେ ଲେଖି ତୁ ଜଣାଇବୁ ବୋଉ
କେମିତି ଅଛନ୍ତି ସେଇ
ଓଷା ପୁନେଇରେ ପଡୁଛି ମନେ ଲୋ
ସାଙ୍ଗ ସାଥି ମେଳ କେତେ
ମକର ବଉଳ କହିବୁ ବୋଉ ଲୋ
ପାଶୋରି ନ ଯିବେ ମତେ
ଭାଇ ଓ ଭଉଣୀ ତଳ ଉପରଲୋ
କରିଥିଲୁ କେତେ କଳି
ମନେ ପଡିଗଲେ ହୃଦୟ ବିଦାରେ
ଦେଇ ନାହୁଁ କେବେ ଗାଳି
ରଜ ପରବଟି ଆସିଲେ ବୋଉ ଲୋ
ପୋଡ଼ ପିଠା ମନେ ପଡେ
ଝିଅ ଜନମଟି ଏତେ ହୀନିମାନ
ଆଖିରୁ ଲୁହଟି ଗଡେ଼
ବିଧାତା ଏ ପରି କାହିଁକି କଲା ଲୋ
ଝିଅ ଜନମଟି ଦେଇ
ପର ଘରକୁ ଯେ ପଠାଇଲୁ ବୋଉ
କେମିତି ପାଷାଣୀ ହୋଇ
ଓଷା ପରବରେ ଅଳି କରୁଥିଲି
ତୋ ପାଖେ ବୋଉ କେତେ
ବାପାଙ୍କୁ କହି ତୁ ବରାଦ କରୁଲୋ
ଯାହା ମନ ହୁଏ ଯେତେ
ସାନ ଭାଇ କି ତୁ କହିବୁ ବୋଉଲୋ
ଭଲ ପାଠ ପଢୁଥିବ
ତାକୁ ଦେଖିବାକୁ ମନ ଝୁରି ହୁଏ
ମୋ ଘରକୁ ବୁଲି ଆସିବ
ନଣନ୍ଦ ପୁଟୁଳି ମନକୁ ଆସୁନି
ବଡ ନଣନ୍ଦକୁ ମୋର
ସାନ ନଣନ୍ଦଟି ଭାରି ଫୁଲେଇଲୋ
କଥାରେ ରାଗଟି ତାର
ଜ୍ବାଇଁର ଡାକରା କେବେ କରିବୁଲୋ
ଶାଶୁ ନୀତି କହୁଛନ୍ତି
ପୁଆଣି ଜିନିଷ କେବେ ଦବୁ ବୋଉ
ଶଶୁର ଚାହିଁ ବସନ୍ତି
ଜ୍ବାଇଁଟି ତୋହର ଶାନ୍ତ ସରଳଲୋ
ପିଏ ନାହିଁ ନିଶା ପାଣି
ମନ କଥା ମୋର ବୁଝି ଦେଉଥାଏ
ଛନ୍ଦ କପଟ ନ ଜାଣି
ଦିଅରଟି ମୋର କଥା କୁହାଳିଆ
ସବୁ ବେଳେ କରେ ଥଟ୍ଟା
ତା ହସ ଖୁସିରେ ଦିନ କଟି ଯାଏ
ଦୁଃଖ ନ ଥାଏ ମନଟା
ଭାଦ୍ରବ ମାସରେ ଖୁଦୁରୁକୁଣୀଲୋ
କରେ ଭାକୁକୁଣି ଓଷା
ଦୂରେ ଥାଇ ମୁଁ ଡାକିବି ମଙ୍ଗଳା
ଭାଇଙ୍କୁ ସାହା ଭରସା
ଖାଇବା ସମୟ ହେଲାଣି ବୋଉଲୋ
ରୋଷେଇ ଘରକୁ ଯିବି
ଖାଇ ବସିଲେଣି ପରିବାର ଲୋକ
ଯାଉଛି ପରଷି ଦେବି
ଗାଆଁ ଠାକୁରାଣୀ ଥାଆନ୍ତୁ ଦୂରେଲୋ
କରେ ଶତ ଦଣ୍ଡବତ
ପର କରିବୁନୁ କେବେ ମୋତେ ବୋଉ
ତୋ ପାଖେ ସ୍ନେହ ବହୁତ
ଏତିକି ଲେଖିକି ରହୁଛିଲୋ ବୋଉ
ପାଶୋରି ନ ଦେବୁ ମନୁ
ଚିଠି ପଢ଼ି ମୋର ଦୁଃଖ କରିବୁନି
'ଇତି ' ଅଭାଗିନୀ ଝିଅ ମିନୁ