କେଡେ ସୁନ୍ଦର ମୋ ଗାଁ
କେଡେ ସୁନ୍ଦର ମୋ ଗାଁ


ଗାଁ ଟି ମୋର କେଡେ ସୁନ୍ଦର
ମରତ ହୀରା ପରି
ଖୁସିରେ ହସେ ପଟିଆ ଗଡ
ଗାଁ ଲୋକଙ୍କୁ ଯେ ଧରି
ଚାଖଣ୍ଡେ ଛାଡ଼ି ଧାଡିକି ଧାଡ଼ି
କେଡେ ସୁନ୍ଦର ଘର
ଆକାଶେ ଉଡି ଉଡି ଯାଆନ୍ତି
ଝାଡି ଚଢ଼େଇ ପର
ଜଗନ୍ନାଥଙ୍କ ମନ୍ଦିର ବାନା
କିଛି ବାଟରୁ ଦିଶେ
ମନ୍ଦିର ବେଢ଼ା ଗଛ ମୂଳରେ
ତାସ ପାଲିଟି ବସେ
ଗାଁ ଦାଣ୍ଡରେ ବଡ ଲାଇଟ୍
ସବୁ ଛକରେ ଜଳେ
ହନୁମାଙ୍କଡ ଗଛରୁ ଗଛ
ଡେଉଁ ଥାଏ ସେ ଚାଳେ
ଖରା ବେଳରେ ଗାଁ ପିଲାଙ୍କର
ଆମ୍ବ ତୋଟାରେ କଳି
ଗୀତ ବୋଲନ୍ତି କେନ୍ଦରା ଧରି
ଯୋଗିଏ ଭଳି ଭଳି
ଗାଁ ମଝିରେ ଯାତ୍ରା ପଡିଆ ଯେ
ପିଲାଙ୍କ ର କ୍ରୀଡା ସ୍ଥଳି
ବ୍ୟାଟ ବଲକୁ ଧରି ହାତରେ
ଖେଳନ୍ତି ଉପର ଓଳି
ସନ୍ଧ୍ୟା ବେଳରେ କେତେ ଜଳନ୍ତି
ଦୀପ ଆଳତି ବତି
ସଂଜ ଦିଏ ମା ଚଉରା ମୂଳେ
ଜଣାଏ କୋଟି ପ୍ରଣତି
ସବୁ ସାହିରେ କ୍ଲବ ଘରଟେ
ପିଲାଙ୍କର ହୁଏ ଖଟି
ଯଜ୍ଞ ସହ ହୁଏ ଅଷ୍ଟ ପ୍ରହରୀ
ଦିଅନ୍ତି ପ୍ରସାଦ ଭେଟି
ପୋଖରୀ ତୁଠରେ ହାଟ ବସଇ
ଗାଁ ଲୋକଙ୍କ ମେଳି
କୁଆଁର ପୁନେଇ ରଜ ଗୀତରେ
ପଡେ ମୋ ଗାଁ ଉଛୁଳି
ସକାଳ ହେଲେ କୁକୁଡ଼ା ରାବେ
ଚାଳରେ ରାବେ କୁଆ
ବଳଦ ଧରି ଚଷା ପୁଅଟି
ଦାଣ୍ଡରେ ହୁଏ ଠିଆ
କେଡେ ସୁନ୍ଦର ମୋ ଗାଁ ଦାଣ୍ଡ
ନିତି ଝାଡୁ ହୁଏ
ଗହିର ମାଳରୁ ସୂରୁଜ ଉଠେ
କ୍ଷେତେ ବିଛାଇ ଦିଏ
ଗାଁ ଦାଣ୍ଡେ ଗୋରୁ ଚରିବାକୁ ଯାନ୍ତି
ପକାଇ ହମା ରଡ଼ି
ପିଲାଙ୍କ ମଜା କହିଲେ ନ ସରେ
ଆସିଲେ ଯାତରା ଘଡି
ବାର ମାସରେ ତେର ପରବ
ଗାଁରେ ପାଳନ ହୁଏ
ଏଡ଼େ ସୁନ୍ଦର ମୋ ଜନମ ମାଟି
କେହି ସମତୁଲ ନୁହେଁ