ବୋଝ
ବୋଝ
ବୋଝ ବୋଝ ବୋଲି ଚିନ୍ତା କରି କରି
ଶରୀର ହୁଏ ତ ହାଲିଆ |
ସଂସାରର ବୋଝ କେବେ ତା ସରିବ
କହି ଦେ ତୁ ଥରେ କାଳିଆ |୧||
ବହି ବସ୍ତାନିର ବୋଝ ବୋହି ବୋହି
ବିତିଯାଏ ବାଲ୍ୟକାଳ |
ନିୟମ ପାଳନ ପାଠଶାଳାରେ ତା
ସରିଲା ସୁନ୍ଦର ସକାଳ ||୨||
ପଢିବିନି ବୋଲି କବାଟ କଣରେ
ଲୁଚି ହେଉଥାଏ ଅଝଟ |
ଜୀବନ ଜଞାଳ ମୋହର ବୋଝରେ
ମନ ହୁଏ ଛଟପଟ ||୩||
ଚାଷି ନେଇଥାଏ ଖେତର ସେ ବୋଝ
ବେପାରୀ ପରିବା ବୋଝ |
ସର୍ବ ପ୍ରାଣୀମାନେ କର୍ମ ଅନୁସାରେ
ଉଠାନ୍ତି ଦାୟିତ୍ଵ ବୋଝ ||୪||
କର୍ମକୁ ଡରିଲେ ଅନାଦର କଲେ
କର୍ମ ଲାଗେ ବୋଝ ପ୍ରାୟ |
ସ୍ନେହରେ ପ୍ରେମରେ ନିଷ୍କାମ କର୍ମରେ
ହୁଏ ସେ ଆନନ୍ଦମୟ ||୫||
ବୋଝ ତ ରହିଚି ସଂସାରେ ଅନେକ
ସବୁଠାରୁ ଗରୁ ପାପ |
ପ୍ରଭୁ ପାଦତଳେ ଭକ୍ତି ଉପୁଜିଲେ
ଖଣ୍ଡି୍ଯାଏ ଭବ ତାପ ||୬||