ବୋଝ
ବୋଝ
ଖୋଲା ସପନକୁ ଭଙ୍ଗା ଆଇନାରେ
ହୀରାଫୁଲ ଦେଇ ସଜେଇଦେଲେ
ସପନ କେବେ ନୀଳ ହୋଇଉଠେନା ।।
ଚାରୋଟି ଚଢେଇ ଦରୋଟି କଣ୍ଠରେ
ଝରକା ସେପାରୁ ଚିଁ ଚିଁ କଲେ
କି ଗଭୀର ଅଭିସାରରକୁ ମାପି ହୁଏ ?
ନା ପାଦର ଛନ୍ଦା ଶିକୁଳିଟା ପାଉଁଜି
ପାଲଟିପାରେ ରାତି ରାତି!
ସଜସୂତା ଫୁଲକୁ ମାଛ ବନିଶିରେ ଗୁନ୍ଥି
ଥୋପ କରି ସହସ୍ର ଥର ପାଣିକୁ ଫିଙ୍ଗିଲେ
ଫେଣ ଉଠେ ସିନା
ନୀଳ ଢେଉରେ କଇଁ ଫୁଲଟେ କି ?
ପାଣି ଗୋଳିଆ ପାଲଟେ
କାଚକେନ୍ଦୁରୁ ବର୍ଷା ବିନ୍ଦୁ ଯାଏ ।।
ଖିଲ୍ ଖିଲ୍ ଫୁଲସୁନ୍ଦରୀକୁ
କାଚ ବାକ୍ସରେ ବାନ୍ଧି
ଉଛୁଳା ନଈରେ ଭସେଇ ଦେଲେ
ଜହ୍ନ କି ସେପାରିରୁ ମୁରୁକି ହସେ?
ନା ।।
ଚିକ୍ ମିକ୍ ଜରିଲଗା ପାଟ ପିନ୍ଧେଇ
ପାହାଡ ସେପାରେ ବର ଖୋଜିଦେଲେ
କଇଁ କଇଁ ହୋଇ କୋହ ଉଠେ ସିନା
କଣ୍ଢେଇ ତ ଭୁଲିଯାଏ ତାର ସେଇ ମନଜିଣା
ଫିକ୍ କି ହସଟା ।।
