ବୋଝ
ବୋଝ
କର୍ତ୍ତବ୍ୟ ଏମିତି ଏକ ବୋଝ
ଥରେ ମୁଣ୍ଡ ଉପରକୁ ଆସିଗଲେ
ଆଉ କିଛି ଦୃଶ୍ୟ ହୁଏନି
ସାରା ଜୀବନ ସେହି
ବୋଝ ମୁଣ୍ଡେଇ ଚାଲୁଥିଲେ
ମଧ୍ୟ ଦାୟିତ୍ଵ ସରେନା ।
ଜୀବନର ରାସ୍ତା ବଡ଼ ଅଦ୍ଭୁତ
ଯେତେ ବେଳ ପର୍ଯ୍ୟନ୍ତ
ଅନ୍ୟକୁ ଖୁସି ଦେଇ ପାରିଛ
ସେତେବେଳେ କେହି ତୁମ
ଉପରେ ପ୍ରଶ୍ନ ଉଠାନ୍ତି ନାହିଁ
ମାତ୍ର ଟିକିଏ ଅନିଚ୍ଛାକୃତ
ଅବହେଳା, ଅଣଦେଖା
ତୁମକୁ କାଠଗଡ଼ାରେ
ଠିଆ କରିଦିଏ ଦୋଷୀଟେ କରି ।
ଜଟିଳ ସଂସାରର ଚଲାପଥ
ଖଣ୍ଡା ଧାରରେ ବାଟ ଚାଲୁ ଚାଲୁ
ପ୍ରତି ମୁହୂର୍ତ୍ତରେ ଗୋଡ଼ ଖସି ଯିବାର ଭୟ
ମଣିଷ ମନକୁ ଭାରାକ୍ରାନ୍ତ କରେ
ସମୟ ଜଗି କର୍ତ୍ତବ୍ୟର ବୋଝ ବୋହି ବୋହି
ନିଜ କଥା ଭୁଲି ଯାଏ ସେ
ଏମିତି ଦିନ ପୁଣି ଆସେ
ଯେ ଯାହା ବାଟରେ
ଆଗେଇ ଗଲା ବେଳେ
ତା' କଥା ଭୁଲିଯାନ୍ତି
ଯିଏ ଦିନେ ଲହୁ ଲୁହ ଏକା କରି
ନିଜ ସବୁ ସୁଖକୁ
ବନ୍ଧା ପକେଇ ଦେଇଥିଲା
କର୍ତ୍ତବ୍ୟର ବୋଝକୁ ମୁଣ୍ଡେଇ
ଶେଷରେ ପଡ଼ି ରହେ ସେ
ତୁଠ ପଥରଟେ ପରି।
