STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ବୋଝ

ବୋଝ

1 min
86

ଯାହା ହାତ ଧରି ଶିଖାଇଲି

ମାଟି ପରେ ପାଦ ଥାପି ଚାଲିବାକୁ

ଆକାଶର ଜହ୍ନ ତାରା ସୂର୍ଯ୍ୟକୁ ଦେଖାଇ

ସବୁ ଅଳିଅଝଟକୁ ପିଠିରେ ନାଉ କରି 

ହାତୀ ଘୋଡା ନିଜକୁ ସଜାଇ

ଦିନରାତି ସବୁ କରିଥିଲି ଏକ 

ସେଦିନର ତା ଚାବୁକ ପାହାର ବାଜେ ଆଜି କାହିଁ ମୋ ପିଠିରେ ।


 ଆଖିରେ ଝରେ ବିମ୍ଵିସାରର ଉତ୍ତପ୍ତ ଲୁହର ଧାର

ଉଗ୍ରସେନ ପରି ବନ୍ଦୀ ମୁଁ ଜରା କାରାଗୃହେ

ବୁଢା ହୋଇଗଲା ପରେ

ସମସ୍ତେ ଅଲୋଡା ଅଖୋଜା

କାହାର ଆସନ୍ତନି କେବେ କାମରେ

ଖୁଁ ଖୁଁ ଲହରା କାଶ

ରାତିଅଧେ ଭିଡି ଧରେ ମୋ ବେକ

ଶୋଇପାରେନା ଟିକେ ମୁଁ ଶାନ୍ତିରେ ।


ସବୁ କିଛି ଦେଇ ସାରିବା ପରେ

ଥୁଣ୍ଟା ବରଗଛ ଭଳି ହୁଏ ହାହୁତାଶ

ଅଖିଆ ଅପିଆ ଲହୁଲୁହ ନିଗାଡି

କରିଥିଲି ଦିନେ ତାକୁ ମଣିଷ

ପାଞ୍ଚଜଣଙ୍କ ସାଙ୍ଗେ ଜଣେ କରି ଗଢି

ବାପାର ପରିଚୟେ ଚାରିଦିଗେ ସମ୍ମାନ

ଗର୍ବେ ଫାଟିପଡୁଥିଲା ମୋର ମନ ।


ବିଦେଶରୁ ପୁଅ କୁହେ ଆଜି

ସହରେ ପାରିବନି ଏଠି ଚଳି

କିଏ କରିବ ତୁମର ଏତେ ସେବା 

ବୋହୂ ପୋଛିପାରିବନି ତୁମ ଗୂହମୂତ

ସମୟ ନାହିଁ କାହାପାଶେ ତୁମ କଥା ବୁଝିବାକୁ

ଚଳିବାକୁ ପଠାଇଦେବି ପଇସା ମାସ ଶେଷରେ

ବୃଦ୍ଧାଶ୍ରମେ ରହିଯାଅ ସଵୁଦିନ ।


ପିଲାଦିନେ ବହି ବସ୍ତାନୀର ବୋଝ

ପାରିବୁନି ବୋଲି ବୋହି

ପାଦକୁ କଷ୍ଟ ତତେ ଲାଗିବ ଜାଣି

ବସାଉଥିଲି କାନ୍ଧେ କେତେ ସରାଗରେ

ଆଖିରେ ଆଖିଏ ସ୍ଵପ୍ନ ମାଖି

ଭୁଲିଯାଉଥିଲି ସବୁ ଦୁଃଖକଷ୍ଟ

ତୋର କଅଁଳିଆ ସରଳ ମୁହଁଟିକୁ ଦେଖି ଦେଖି ।


ମନରେ ଗୁଡେଇ ତୁଡେଇ ହେଉଥିବା ତୋ ପ୍ରଶ୍ନର

ଉତ୍ତର ଦେଉଥିଲି ବାରମ୍ଵାର ଅତି ଶରଧାରେ

ଆଜି କାହିଁ ମୋ କଥା ସବୁ ଲାଗେ ବିରକ୍ତ

ସେବାକୁ କଣ ତୁ କିଣିପାରିବୁ ପଇସାରେ

ଶେଷେ ବୃଦ୍ଧାଶ୍ରମେ ଛାଡି କଣ ଶୁଝିଦେବୁ ତୋ ଋଣ

ଟଙ୍କାର ପାହାଡଟିଏ ଦେଲେ ବି ଅଜାଡି

ହୋଇପାରିବିନି କେବେ ମୁଁ ସୁଖି ।



Rate this content
Log in