ବୋହୂ ହୋଇ ଯାଇ
ବୋହୂ ହୋଇ ଯାଇ
କନ୍ୟା ହୋଇ ଆସି ବୋହୂ ହୋଇ ଯାଇ
ଏକ ସୁତ୍ରେ ବାନ୍ଧି ଦେଇ,
କଣ୍ଟକିତ ପଥେ ଚାଲିଚାଲି ଦିନେ
ଜୁଇରେ ଯାଏ ସେ ଶୋଇ।।
ଛାତିର କୋହକୁ ଆଖିର ଲୁହରେ
ଝରଝର ଝାରି ଦେଇ
ବାପଘର ଛାଡି ଶାଶୁ ଘର ଯାଏ
ସିନ୍ଦୂର ମଥାରେ ନେଇ।।
ଆଶଙ୍କିତ ମନେ ଅସୁମାରୀ ଆଶା
ଭାବନାର ହଜିଯାଇ
ପାଦକୁ ରଖେସେ ଏରୁଣ୍ଡିବନ୍ଧରେ
ହାତେ ହାତ ଛନ୍ଦି ଦେଇ।।
କରିବାକୁ ପଡେ କେତେ ଅଭିନୟ
ମନ ମାନସାଙ୍କ କଷି
ଆଖିର ଲୁହକୁ ପଣତରେ ପୋଛି
କହେ ସବୁବେଳେ ଖୁସି।।
ଜହ୍ନ ଭଳି ଦେଇ ଶୀତଳ ଜୋଛନା
ତମସାର ଛାତିଚିରି
ନିଦାଘର ତାତି ସହିଯାଏ ନିତି
ନିଜର ମନକୁ ମାରି।।
ମୁଠାଏ ବିଶ୍ବାସ ଦିଏ ସେ ଆଶିଷ
ଦେବୀଟିଏ ସିନା ହୋଇ
କରୁଣାର ଝର ଝରାଇ ଦିଅଇ
ଅମୃତକୁ ବାଣ୍ଟି ଦେଇ।।
ସେତ ଚିରକାଳ ସର୍ଜନା ସମ୍ଭାର
ଭାଗ୍ଯକୁ ତା ସାଥେ ନେଇ
ଦୁନିଆକୁ ପରା ଆସିଥାଏ ସିଏ
ଅମୃତର ଫଳ ହୋଇ।।
