ବୋଧ
ବୋଧ
ଏମାନେ ତ
ପ୍ରୀତି ଆଉ ପାର୍ବଣର କଥା ଢେର୍ କହନ୍ତି
କରନ୍ତି ବି
ଫଳପ୍ରସୁ ଅପେକ୍ଷାର ଲମ୍ବା ଲମ୍ବା ବାହାନା ,
ନହେଲେ କାହିଁକି ,
ଆବଡ଼ା ଖାବଡ଼ା ଭୂଗୋଳ ପୋଥି ପରି
ଛିଟିକି ପଡିଥା'ନ୍ତେ
ଅମରି ବୁଦାରେ ଆମର କୃପା ମାଷ୍ଟ୍ରେ !
ହଁ...
ତାଙ୍କର ହାତର ଛାଟ ଯେ କେବଳ
ଛିଣ୍ଡୁ ନ ଥିଲା ଆମ ନରମ ହାତରେ
କି ମୋଡି ହେଉ ନ ଥିଲା କାନ ସବୁ ,
ଅଥଚ, ଆମ ହାତରେ ଟାଣି ଦେଉଥିଲେ
ଜୀବନ ଆଉ ଜୀବିକାର ସାମୁଦ୍ରିକ ଗାର |
ସେଦିନ ସ୍ବାଗତ ବି କରିଥିଲା
ସମୟ ତା'ଙ୍କୁ
ନଈ ପାଣି ବଢ଼ି ପରି
ଝଲକି ଉଠି ପାଦ ଚୁମି ଥିଲା ସଂପଦ |
କିନ୍ତୁ ସରଳତାର ଜୀବନ ଯେ
ଏ ସବୁର ଉର୍ଧ୍ବରେ
ବରଂ ,
ବଜାୟ ରଖିଲେ ମାନ ତାଙ୍କ ଆଦର୍ଶର |
ପ୍ରତିଦ୍ବନ୍ଦିତାର ରାଜ ରାସ୍ତାରେ
ଭଟକି ପଡି ଥିବା କୃପା ମାଷ୍ଟ୍ରେ
ଏଠି ଠୋକର ପା'ନ୍ତି ,
ସେପଟେ ସଭ୍ଯତାର ଦ୍ବାହି ଦେଇ
ବକ ଧାର୍ମିକ ମାନେ ମୁଣ୍ଡ ଟୁଙ୍ଗାରନ୍ତି |
କୃପା ମାଷ୍ଟ୍ରେ ମାନେ ତ
କୀଟ ପତଙ୍ଗ ପରି ଏଠି ଉପେକ୍ଷିତ ,
କିନ୍ତୁ , ସେପଟେ ....
ସମୟ ଦେଖିବ ଦିନେ
ଭାଙ୍ଗି ସାରିଥିବ ଏମାନଙ୍କ ପାଟିର ଛାମୁ ଦାନ୍ତ |
ମୃଗୟାରୁ ଫେରୁ ଫେରୁ
ସେପଟେ
ସର୍ବସ୍ବାନ୍ତ ହୋଇ ସାରି ଥିବ ,
ଆହୁରି ବି , ଗୁରୁ ଗୌରବକୁ
ପଣ୍ଡ କରୁଥିବା ସବୁ ହୃଦୟରେ
ଅସଲ କଥା ବୋଧ ହୋଇ ଯିବ |
