ବଞ୍ଚିଛି କି ମଣିଷଟା ...
ବଞ୍ଚିଛି କି ମଣିଷଟା ...
ଆଜି ବଞ୍ଚିଛି କି ...
ମଣିଷଟା ଆପଣା ଦୃଷ୍ଟିରେ !
ସିକ୍ତ କ୍ଷମତା, ପ୍ରାଚୁର୍ଯ୍ୟର ଲୋଭ
ପୁଣି ଜୁଡୁବୁଡୁ ଆତ୍ମ ଅହଙ୍କାରେ ।
ଏ କି ବିଭ୍ରାନ୍ତ ମାନସିକତା
ଶାନ୍ତି ଖୋଜୁଥାଏ ବସି
ଅନୀତିର ବାରୁଦ ଗଦାରେ ,
ପ୍ରେମ ଶାନ୍ତି ଅବା ଶ୍ଵାସରୁଦ୍ଧ
ମୋହର କରାଳ ଗର୍ଭରେ
ଆଜି ବଞ୍ଚିଛି କି ...
ମଣିଷଟା ଆପଣା ଦୃଷ୍ଟିରେ !
ଆକାଶେ ଉଡିଛି ପାଣିରେ ବୁଡିଛି
ଅସମ୍ଭବ ସମ୍ଭବ କରି ଦେଖାଇଛି ,
ହେଲେ ସମ୍ପତ୍ତି ଠୁଳ କରିବାରେ
କେମିତି ହୀନ ହୋଇ ସେ ପାରିଛି ?
ସାତ୍ତ୍ୱିକ ଗୁଣକୁ ଛାଡି
ଭାଳେ କାହିଁକି ବିଷାଦ ମନେ
ପଡ଼ି ଆସୁରିକ ସତ୍ତାର ମାୟାରେ ।
ନୀତି ବୋଧ ଶିକ୍ଷା ଅବା କର୍ମ
ଆତ୍ମାର ପାଉଁଶ ଗଦାରେ ,
ଆଜି ବଞ୍ଚିଛି କି ...
ମଣିଷଟା ଆପଣା ଦୃଷ୍ଟିରେ !
କେଜାଣି ଚିରନ୍ତନ ମୂଲ୍ୟବୋଧ
ଅହର୍ନିଶ କରେ ଅସ୍ୱୀକାର ,
ଶୃଙ୍ଖଳା, ସଞ୍ଜମତା ମୁଖା ତଳେ
ସୁସଜ୍ଜିତ ଅନ୍ୟାୟ ଆଚାର ।
ଅନୀତିର ସ୍ଵର ହେଉ ରୁଦ୍ଧ
ଅହମିକା ଲୋପ ହୋଇଯାଉ ,
ବୋଧତା ଜାଗ୍ରତ ହେଉ
ସତ୍ୟ ଆଉ ପ୍ରେରଣା ଫଲଗୁରେ ,
ଥରୁଟିଏ ବଞ୍ଚିଯାଉ ...
ମଣିଷଟା ବିବେକ ସାମ୍ନାରେ ।
