ବଞ୍ଚିବାର ମୋହ
ବଞ୍ଚିବାର ମୋହ
ବଞ୍ଚିବାକୁ ଏଠି କିଏ ବା ନ ଚାହେଁ ?
ତା 'ପାଇଁ ରହିଛି ସବୁରି ଯେ ମୋହ ,
ଆୟୁଷ୍ମାନ ହୋଇ ବଂଚି ରହିବାରେ
ଲୋଡ଼ିଥାଏ ଦେବ ଦେବୀ ବରାଭୟ ।
ହେଉ ସେ ସ୍ଥବିର ଲୋଳିତ ଚର୍ମ
ପଳିତ କେଶ ଦଶନଶୂନ୍ୟ ,
ବଞ୍ଚିବାର ମୋହ ନପାରେ ମୂରୁଛି
ତା'ପ୍ରତି ସର୍ବଦା ହୁଏ ଯତ୍ନବାନ ।
ଧନ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଭିତରେ
ବଂଚିଥାଏ କିଏ ସଦା ଅୟସରେ ,
କେହି ଦୁଃଖକଷ୍ଟ ଜରାଜୀର୍ଣ୍ଣ ଦେହେ
ଦିନ କାଟୁଥାଏ ଭଙ୍ଗାକୁଟୀରରେ ।
ଭଲପାଏ କିଏ ବଂଚି ରହିବାକୁ
ନୀତି ନିୟମର ଶୃଙ୍ଖଳାରେ ,
ତେଜି ଷଡ଼ରିପୁ ଶୁଦ୍ଧପୂତ ପ୍ରାଣେ
ସଦା ବାଟଚାଲେ ସତ୍ୟ ପଥରେ ।
ଅନ୍ୟାୟ ଅନୀତି ଦୁର୍ନୀତିରେ ମାତି
ବସ୍ତୁ ପରିଗ୍ରହେ ଲୋଡ଼େ କେ ସୁଖ
,
ଅଶାନ୍ତ ଜୀବନେ ସେହି ପ୍ରତିକ୍ଷଣେ
ସୁଖ ବଦଳରେ ଲଭିଥାଏ ଦୁଃଖ ।
ସରଳ ଜୀବନ ଉଚ୍ଚ ବିଚାରରେ
ବଂଚିଥାଏ କିଏ ସୁଯଶ ଲୋଡ଼ି ,
ଆତ୍ମ ବଡ଼ିମାର ବେଲୁନ ଉଡ଼ାଇ
ଆଉ କିଏ ଯାଏ ତଳରେ ପଡ଼ି ।
ବଞ୍ଚିବାର ପନ୍ଥା ଅଟଇ ଅନେକ
ବ୍ୟକ୍ତି ବିଶେଷ ରେ ହୁଏ ଭିନ୍ନ ଭିନ୍ନ ,
ସୁନ୍ଦର ଭାବରେ ବଞ୍ଚିବାର କଳା
ବଢାଏ ଯେ ଯଶ ମାନ ସନମାନ ।
ପାର୍ଥିବ ସମ୍ଭୋଗେ ହୋଇ ମତୁଆଲା
ପ୍ରବୃତ୍ତି ମାର୍ଗରେ କେ ବଞ୍ଚି ରହେ ,
ନିଷ୍କାମ ଭକତି ସେବା କର୍ମେ ମତି
ନିବୃତ୍ତି ମାର୍ଗରେ କେ ଚାଲୁଥାଏ ।
ନୈତିକ ସ୍ଖଳନେ ବଂଚିଥାଏ କିଏ
ଅନେକ ବାର ଯେ ଜୀବନେ ମରି ,
କେହି ଯଶଦେହୀ ଜୀବନ୍ମୁକ୍ତ ହୋଇ
ଏ ଭଵ ବାରିଧି ହୁଅଇ ପାରି ।