ବଞ୍ଚିବା ସପନ ସାକାର ହେଉ
ବଞ୍ଚିବା ସପନ ସାକାର ହେଉ
ଜର୍ଜରିତ ହୋଇ, ନିଷ୍ପେଷିତ ହୋଇ,
ପ୍ରତାରିତ ହୋଇ,
ବଞ୍ଚିବାକୁ ତା'ର ଅଦମ୍ୟ ଇଚ୍ଛା ।
ଲାଂଛନା, ଛଳନା,ଶୋଷଣ,କଷଣ
ତା'ଜୀବନ ଭିତ୍ତି
ଦାରିଦ୍ର୍ୟ ତାଆରି ଜୀବନ ମୋର୍ଚ୍ଚା ।।
ତା' ରୁଦ୍ଧ ରୁଧିର ନିର୍ମମ ବଧିର,
ନିଷ୍ଠୁର ସହର
କର୍କଶ,ନିର୍ଦ୍ଦୟ,ରୁକ୍ଷ ପ୍ରହାରେ ।
ସେଇଥିପାଇଁ ତା' ତିକ୍ତ ବକ୍ଷ ଦେଇ
ରକ୍ତ ଝରେ ନାହିଁ
ଅବାଞ୍ଛିତ ହୋଇ ରୁହେ ଗର୍ଭରେ ।।
ହେଉ ଅବାଞ୍ଛିତ, ତା' ରକ୍ତ ଲୋହିତ
ମଣିଷ ରଙ୍ଗ ହିଁ
ପ୍ରବାହିତ ତା'ର ଶିରା ଶିରାରେ ।
ସିଏ ବି ମଣିଷ ଅମୃତ ଔରସ
ଅଧିକାର ନେଇ
ଜନ୍ମ ଯେ ନେଇଛି ଏଇ ସଂସାରେ ।।
ଜନନୀ ଗର୍ଭର ବାଞ୍ଛିତ ଫର୍ଦ୍ଦରେ
ତା'ଜାତକ ପୃଷ୍ଠା
ଈଶ୍ୱର ଅମୃତ ରମ୍ୟ ରଚନା ।
ସେଇଥିପାଇଁ ସେ ଈଶ୍ୱର ନଜରେ
ଅମୃତ ସନ୍ତାନ
ସୁନ୍ଦର ସୃଜନୀ,ଦିବ୍ୟ କଳ୍ପନା ।।
ଶିକ୍ଷା ଅଧିକାର ସ୍ୱାସ୍ଥ୍ୟ ଅଧିକାର
ସର୍ବସ୍ୱ ହରେଇ
କ୍ଷୁଧାର ଜ୍ୱାଳାରେ ଲୁପ୍ତ,ଲୁଣ୍ଠିତ ।
ଲୁଣ୍ଠିତ ହେଲେ ବି ପତିତ ନୁହେଁ ସେ
ଈଶ୍ୱର ଅଙ୍କର
ସ୍ନେହ ସମ୍ଭାରରେ ସଦା ବନ୍ଦିତ ।।
ଈଶ୍ୱର ପ୍ରେମରେ ମତୁଆଲା ଯେବେ
ମନ୍ଦିର ବଦଳେ
ତା' ରୁଷ୍ଟ ଅଗଣା ସଜେଇଦିଅ ।
ତୁମେ ବି ମଣିଷ, ମଣିଷ ବେଭାରେ
ସ୍ନେହ ସଂଜୀବନୀ
ଅଳ୍ପ ଅର୍ପି ତାକୁ କୋଳେଇ ନିଅ ।।
ହା ଅନ୍ନ ଚିତ୍କାର କେବେବି ନ ଶୁଭୁ
ଅପମୃତ୍ୟୁ ନୁହେଁ,
ଜୀବନ୍ତ କଣ୍ଢେଇ ଜୀବନ ପାଉ ।
ସୁପ୍ତ ଶକ୍ତି ତା'ର ମୃତକ ନ ସାଜୁ
ଅଦମ୍ୟ ଉଲ୍ଲାସେ
ବଞ୍ଚିବା ସପନ ସାକାର ହେଉ ।।
ସେବା ହିଁ ଈଶ୍ୱର ଶୁଶ୍ରୂଷା ମନ୍ଦିର
ଈଶ୍ୱର ଆକାଂକ୍ଷା
ପର ଉପକାର, ଦୁଃସ୍ଥ ସଂସ୍ଥାନ ।
ହେ ମଣିଷ ଭାଇ ଆସ ହେ ଆଗେଇ
ବାଞ୍ଛିତକୁ ଦେବା
ଅବାଞ୍ଛିତ ନୁହେଁ,ବାଞ୍ଛିତ ସ୍ଥାନ ।।
