ବଞ୍ଚିବା ପାଇଁ
ବଞ୍ଚିବା ପାଇଁ


କାହିଁକି ପ୍ରତି କ୍ଷଣ
ନିଜ ଦେହର ଚମଡ଼ାକୁ
ବଧିରା କରି ଚାଲିଛି ?
ଏଡ଼େ ବଧିରା ହୋଇଗଲାଣି ଯେ
ସବୁକିଛି ଏବେ ଟାଣ ଟାଣ
ପଥର ପଥର ପରି ଲାଗିଲାଣି ।
ଜଣାନାହିଁ ଏ ପଥୁରିଆ ଲାଗୁଥିବା
ଦେହ ଭିତରେ ନରମ କଅଁଳିଆ
ଜୀବନ ବୋଲି କିଛି ଗୋଟାଏ
ସତେଜ ଅଛି ,
ନା ସବୁ କିଛି ଶୁଖି ଯାଇଛି ?
କେତେ ବାହାନା ଯେ ସେ ଖଞ୍ଜିଦିଏ ,
ଗ୍ରହନକ୍ଷତ୍ରର ଠୁ ଆରମ୍ଭ କରି
ପାଣିପାଗ ଯାଏ
ପୁଣି ବାପ ଗୋସାପର
ରକ୍ତକୁ ଦୋଷଦେଇ
ନିଜକୁ ନିର୍ଦ୍ଦୋଷ ବୋଲି ଧରି ନିଏ ।
ଦୁନିଆର ପ୍ରତ୍ୟେକ କଥାରେ ସେ
କଣ୍ଟାଟିଏ ଦେଖେ , ଖୁଣଟିଏ ପାଏ
ହେଲେ ନିଜ ଆଖିକୁ
କେବେ ବି ତା'ର ଆଙ୍ଗୁଳି ଯାଏନି ।
ସତ କଥାଟି ସେ ଜାଣେ
ତେଣୁ ନିଜକୁ ନିଜ ଭିତରେ ଲୁଚାଏ
ଆଇନାକୁ ସେ ଘୃଣା କରେ ।
କ'ଣ ସେ ସତ ,
ଆଉ କ'ଣ ସେ ଚାହେଁ ?
ଏ ଦୁନିଆଟି ଚାଲୁ ତାହାରି ଇଶାରାରେ ,
ପାନରୁ ଚୁନ ନ ଖସୁ ?
ତା' ଦୋଷ ଦୁର୍ଗୁଣକୁ ଦେଖି
କେହି ବିରୋଧ ନକରନ୍ତୁ ,
ପ୍ରଶ୍ନ ନଉଠାନ୍ତୁ
ସେ ନିଷ୍କଣ୍ଟକ ରାଜ୍ କରିବାକୁ ଚାହେଁ କି ?
ନା ସେମିତି ତ ନୁହେଁ
ସେ ତ କେବେ କାହା ଜୀବନରେ
ହସ୍ତକ୍ଷେପ କରିବାକୁ ଭଲ ପାଏନି ।
ତାହେଲେ କାହିଁକି
ଏ ସମାଜ ତା' ବସିବା , ଉଠିବା ,
ଛିଙ୍କିବା କାଶିବାକୁ ନେଇ
ସମାଲୋଚନା କରିବ
ତାକୁ ସୁଧାରିବାକୁ ଚେଷ୍ଟା କରିବ ?
ସେ ଏଇଥି ପାଇଁ ନିଜକୁ
ଅଲଗା କରିନିଏ
ନିଜ ଦୁନିଆରେ ବଞ୍ଚିବାକୁ ଚାହେଁ ।
ବୋଧହୁଏ ଏଇ ବଞ୍ଚିରହିବା ପାଇଁ
ସେ ନିଜକୁ ବଧିରା କରିନିଏ
ବାହାରୁ ଭିତରୁ
ଶକ୍ତ ପଥର ପାଲଟି ଯାଏ ।