ବଂଶୀ
ବଂଶୀ
ତୁମେ ଆଉ ବାଜ ନାହିଁ ବଂଶୀ
ତୁମର ସେ ପଦ୍ମତୋଳା ଡାକ
କାହିଁକି କେଜାଣି ସମୁଦ୍ରର ତରଙ୍ଗ ପରି
ଏ ହୃଦ ଭାସୁଛି
ଆକାଶର ଭସା ବାଦଲ ପରି ଏ ମନ ବଦଳୁଛି
ନେସି ହୋଇ ଯାଉଛି ତନୁମନ।
କେତେ ଗଞ୍ଜଣା ସହିବି କୁହ
ସ୍ବାମୀ ଆଉ ଶାଶୂଙ୍କଠୁ
ଆକଟ କରୁଛନ୍ତି ନିତିଦିନ
ସାହି ପଡି଼ଶା ବି ଟୁପୁର ଟାପୁର।
ତୁମେ ଆଉ ବାଜନାରେ ବଂଶୀ
ଏ ହୃଦକୁ ଦୋହଲାଇ
ଗୋଟେ ଭୁଆଶୁଣୀର ମାନ ତ ରଖନ୍ତୁ।
ମୁଁ ନେହୁରା ହେଉଥିଲି ବଂଶୀଙ୍କୁ
କୃଷ୍ଣ କିନ୍ତୁ ହସୁଥିଲେ
ଭାବୁଥିଲେ ବଂଶୀ ତ ନିର୍ଜୀବ
ପୁଣି ଏ ସୃଷ୍ଟି ଆମର ହିଁ ଦେଇ
ଇଛା ଓ ଆଶାରେ ବି ଚାଳିତ।
ମୁଁ ଭାବ ଓ ବିହ୍ବଳ
କାମନାରେ ସଦା ଜରଜର
ସହି ପାରୁଛି ନା ରହି ପାରୁଛି?
କୃଷ୍ଣ ଯେମିତି ଅତି ହିଁ ନିଜର।
ସେ ଦିନ ସଞ୍ଜର ଆକାଶେ ଦେଖା ହେଲା
କଳକଳ ଛଳଛଳ
ଫୁଲିଥିବା ଯମୁନା କୂଳରେ
ସେ କହିଲେ ରାଧା ।
ମୁଁ ଥତମତ ହେଲି
ଦେଖା ହେବ ନାହିଁ ଭାବି
ଲୁଚି ଆସିଥିଲି ମାଠିଏ ପାଣି ନେଇ ଆସିବାକୁ।
ମୁଁ ଗୋଟାପଣେ ଥରୁଥିଲି
କେହି ଦେଖୁ ନାହାଁନ୍ତି ତ
ସ୍ବାମୀ,ଶାଶୂ ଅବା ପଡୋ଼ଶୀ ।
ସେ କହିଲେ ରାଧା
ତୁମେ ଭାରି ଚାତୁରୀ
ମୋର ପ୍ରେମରେ ପଡି଼ ଯାଇଛ,ନୁହେଁ
ଏକେଲା ଦେଖା କରିବାକୁ ।
ପୁଣି କହିଲେ ରାଧେ
ବଂଶୀକୁ ମନା କରିବା କ'ଣ ଠିକ୍
ଯଦି ଠିକ୍
ସେ କ'ଣ ବାଜିବା ବନ୍ଦ ହୋଇଯିବ ।
ବଂଶୀ ତ ମୋରି ଦେଇ ବାଜୁଛି
ମୋତେ ମନା କରି ଦେଇଥିଲେ
ସବୁ ହିଁ ଖତମ।
ଖର ନିଶ୍ବାସ ମାରି କହିଲି
ସତରେ
ତୁମକୁ ବନା କରିବି ତ ସ୍ବର୍ଗୀୟ ଆନନ୍ଦ ପାଇବି କେଉଁଠୁ
ଟୋପାଏ ଶାନ୍ତି ମିଳିବ କେମିତି ।
ମୋର କଥାରେ କୁଷ୍ଣ କ'ଣ ବୁଝିଲେ କେଜାଣି
ବଜାଇଲେ ବଂଶୀକୁ
ଯା'ର ପଦ୍ମତୋଳା ଡାକରେ
ଘେରିଗଲେ ଗୋପୀ ଗୋପାଳୁଣୀ
ଲୁଚାଛପା ପ୍ରେମ ଧରା ପଡି଼ଗଲା
ଏ ବଂଶୀର କୁହୁକ ସ୍ବନରେ।