ବଂକା ବାଦଲ
ବଂକା ବାଦଲ


ଶ୍ରାବଣ ଆକାଶେ ବାଂକୁଡା ବାଦଲ
ମାନଚିତ୍ର ଆଂକିଅଛି,
କେଉଁଠି କିପରି ଦେଶ ମହାଦେଶ
ଲୁଚକାଳି ଖେଳୁଅଛି ॥
ବେଳେବେଳେ ସାଜେ କଳାହାଣ୍ତିଆ ତ
ପୁଣି ଧବଳ ବୋଇତ,
କୁଣ୍ତାଝଡା ନୀରେ ଦୋଳି ଖେଳୁଥାଏ
କେତେବେଳେ ଅଣାୟତ୍ତ ॥
ଚପଳାକୁ ଧରି ହୃଦୟ କୋଣରେ
ଯୁଦ୍ଧ କରେ ବଜ୍ରାଘାତେ,
ମୂଷଳ ଧାରାରେ ମେଦିନୀ କମ୍ପାଏ
କୂଆ ପଥର ଆଘାତେ ॥
ପ୍ରଦୋଶେ ସାଜଇ ଦିଗନ୍ତ ରୂପସୀ
ମଉନେ ଓଢଣୀ ଟାଣି,
ନିଃଶବ୍ଦ ଜୁଆରେ ବାଢଇ ଉପମା
ସାଜି ଦିଗବଳୟ ରାଣୀ ॥
ମେଘୁଆ ଆକାଶେ ମନର ହରଷେ
ବସାଇ ଜଳଦ ମେଳା,
ପ୍ରାଣୀଂକ ଆରତ ନିରେଖେ ଗଗନୁ
ହୃଦେ ବହି ମେଘମାଳା ॥
ଅନ୍ଧକୂପେ ରଖି ଚନ୍ଦ୍ର ସୂର୍ଯ୍ୟ ତାରା
ସାଜିଥାନ୍ତି ବାହୁବଳୀ,
ପ୍ରାଣୀଂକ ଆରତ ଫେଡିବାକୁ ସଦା
ଭିଆଇ ଥାଆନ୍ତି ଅଳି ॥
ଟୁପୁରୁ ଟାପୁରୁ ବର୍ଷଣ ଛିଟାରେ
ପଲ୍ଲବେ ରଚିଣ କେଳି,
ସ୍ନିଗ୍ଧ ମନ୍ଦାକିନୀ ଜଳେ ଧୋଇଥାନ୍ତି
ବନେ ଦେଇ ହୁଳହୁଳି ॥
ପ୍ରକୃତି କୋଳରେ ସଭିଏଁ ତ ବନ୍ଧା
ପ୍ରକୃତି ସବୁରି ନାହା,
ସ୍ଥାବର ଜଂଗମ କୀଟ ପରିଜନ୍ତେ
ରଚିଥାନ୍ତି ମୋହମାୟା ॥