STORYMIRROR

Kailash Chandra Sahani

Others

3  

Kailash Chandra Sahani

Others

!! ବନ୍ଧୁତ୍ବ. !!

!! ବନ୍ଧୁତ୍ବ. !!

1 min
151

ବନ୍ଧୁତ୍ୱର ପରିଭାଷା ଖୋଜୁଚି ମୁଁ

ସମୟର ଦାରୁଣ ନିଦାଘେ

ଯହିଁ କ୍ଲାନ୍ତ ନିଶିଥିନୀ ଲୋଡେ ନିତି

ଚନ୍ଦ୍ରମା କିରଣ ,

ବିରହ ସଙ୍ଗୀତର ମୂର୍ଚ୍ଛନାରେ

ମ୍ରିୟମାଣ ଦୂର ଚକ୍ରବାକ

କୁମୁଦିନୀ ଅସ୍ଥିର ପରାଣ !

ବନ୍ଧୁ ବୋଲି ଆଚରିଲି ଯେତେଯାହା

ମମତା ମଧୁର

ତେଜି ଦୂରେ ଘୃଣ୍ୟ ସ୍ୱାର୍ଥ ଅହମିକା

ଯାତନା ନିଷ୍ଠୁର

ଆବୋରିଲି କାୟା କାହା ଛାୟା ପରି

ବିଷାଦେ ବିପଦେ

ବନ୍ଧୁ ବୋଲି ପାତି ଦେଲି ଛାତି

ବାନ୍ଧି ସେତୁବନ୍ଧ

ବନ୍ଧୁ ବୋଲି ଖୋଲିଦେଲି ଯେତେ ଯାହା

ଦଶାନନ ମରଣର ଛନ୍ଦ ,

ତୁମେ କିନ୍ତୁ ବନ୍ଧୁତ୍ୱର ନିଗଡରେ

ପୋତି ଦେଲ ସ୍ୱାର୍ଥର ବିଷ ବୀଜଟିଏ

ମୋ ଅବ୍ୟକ୍ତ ଅବୁଝା ମନରେ !

ବନ୍ଧୁ ବୋଲି ବରିଥିଲା ସୋହାଗର

ଯେତେ ଯାହା ବିଶ୍ୱାସ ବିତାନେ

ତୁମରି ସେ ଚିର ରହସ୍ୟ ସ୍ମିତ ହାସ୍ୟ

ବିମୁଗ୍ଧ ଲପନେ ,

ସଖା ବୋଲି ପାତିଲା ସେ ମଥା

ଯାଚିଲ ଅଭୟ

ତୁମେ ବନ୍ଧୁ ବିଷାଦରେ କରିଲ ଜର୍ଜର

କରି ଯେତେ ଆତ୍ମୀୟଙ୍କୁ ସୁଦର୍ଶନେ କ୍ଷୟ ।

ଆଉ କେଉଁ ବନ୍ଧୁତ୍ୱର ନିଦର୍ଶନେ

ପଖାଳି ବି ଜୀବନକୁ ମୋର ...

ସ୍ୱାର୍ଥର କବଳରେ ବନ୍ଧା ଯହିଁ ବନ୍ଧୁତ୍ୱ ଅପାର ,

ଦେବା ନେବା ସନ୍ଧି ଏଠି

ବନ୍ଧୁ ଏକ ଛଳନାର ଭ୍ରମ

ମିଛର ମଧୁର ଭାରେ ବନ୍ଧାପଡେ

ଜୀବନ ତମାମ ।

ତୁମେ କିନ୍ତୁ କାରୁଣିକ ପ୍ରଭୁ ମୋର

ଚେତନାର ଅଦୃଶ୍ୟ ଈଶ୍ୱର

ଦେଖାଇଚ କୃତ୍ରିମତା ଭ୍ରମିତ ବନ୍ଧୁତ୍ୱ

ସ୍ୱାର୍ଥପରତାର ନାହିଁ କାହିଁ ସ୍ଥାନ

ଶିଆଳୀ ଲତାର କୁଞ୍ଜେ

ସେଥି ପାଇଁ ସବ୍ୟସାଚୀ କଳା ତୁମେ କରିଲ ହରଣ ।

ସ୍ୱାର୍ଥହୀନ ତପୋଧନ

ସୁଦାମାର ବନ୍ଧୁତ୍ୱ ସୋହାଗେ

ବନ୍ଦିଲ ଚରଣ ....!

ଯୁଗେ ଯୁଗେ ସ୍ୱାର୍ଥ ହୀନ ବନ୍ଧୁତ୍ୱ ବନ୍ଧନେ

ମୋହିତ ପରାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍