ବନ୍ଧୁ ରଙ୍ଗେ ଅଙ୍ଗେ ଅଙ୍ଗେ
ବନ୍ଧୁ ରଙ୍ଗେ ଅଙ୍ଗେ ଅଙ୍ଗେ
ବନ୍ଧୁ କହିବି କି ବାନ୍ଧବୀ କହିବି
ସାଥି ନା ସ୍ମୃତି ସଙ୍ଗାତ ।
ପରିଚୟହୀନ ପତ୍ରିକାପୃଷ୍ଠା ମୋ'
ଲାଗେ ଛୋଟ,ଅସଙ୍ଗତ ।।
ପତ୍ରିକା ପୃଷ୍ଠାରେ ତୁମ ନାମାଙ୍କନ
ଲଗ୍ନରେ ମୁଁ ଲେଖିଥିଲି ।
ଲେଖି ତ ନଥିଲି ମୁଖବନ୍ଧ ଭାବି
ହୃଦୟରେ ଯୋଡିଦେଲି ।।
ମୁଖବନ୍ଧ ମଧ୍ୟେ ମୁଖଶାଳା ପରି
ସୁଲଗ୍ନା ଛବି ତୁମର ।
ପ୍ରଥମ ପୃଷ୍ଠାର ପୂର୍ବ ପାହାଚରେ
ରହିଗଲା ବନ୍ଧୁ ମୋର ।।
ଦୁର୍ବାର ଦୁନିଆ ଅସତ୍ୟ ସହରେ
ଅଳ୍ପ ମୁହୂର୍ତ୍ତ ଦେଖାରେ ।
ବନ୍ଧୁ ମହକର ମହାର୍ଘ ପାଇଲି
ଅପରାହ୍ନ ଜୀବନରେ ।।
ଅପରାହ୍ନ ସିନା ମୋ'ଚଲା ପଥରେ
ତୁମ ଜୀବନେ ପୂର୍ବାହ୍ନ ।
ଆମ ମଧୁମୟ ବନ୍ଧୁ ବଳୟରେ
ଅନୁଭବ ମୋ' ମଧ୍ୟାହ୍ନ ।।
ଅଳ୍ପ ବାର୍ତ୍ତାଳାପେ ତୁମ ଶବ୍ଦାଳାପ
ସଙ୍କୁଚିତ ଲାଗୁଥିଲେ ।
ଅପରାହ୍ନ ପଣେ ଭୀତତ୍ରସ୍ତ ହୋଇ
ଅପସରି ଯାଉଥିଲେ ।।
ଉଭୟଙ୍କ ଶବ୍ଦ କବିତା ତରଙ୍ଗେ
ମୃଣ୍ମୟ ମିତ୍ରତା ପଣ ।
ବାନ୍ଧି ହୋଇଗଲା ବନ୍ଧୁ ଆବନ୍ଧନେ
ସଦ୍ଭାବର ଭାବାର୍ପଣ ।।
ବୟସର ଅବା ଭାବର ପାଚେରୀ
ଶଙ୍କି,ଉଙ୍କି ଚାହୁଁଥିଲା ।
ଉଙ୍କିବା ଭିତରେ ଶବ୍ଦରେ ଶବ୍ଦରେ
ନିଜପଣ ବଢ଼ିଗଲା ।।
ମୋ'କବିତା ତୁମ କବିତା କୋଳରେ
ନିଭୃତେ ନିଖୁଣ ରଙ୍ଗେ ।
ସାଇତା ରହିଲା ତୀବ୍ର ସନ୍ତର୍ପଣେ
ବନ୍ଧୁ ରଙ୍ଗେ ଅଙ୍ଗେ ଅଙ୍ଗେ ।।
ସାହିତ୍ୟ ଶାଶ୍ୱତ କବିତା ପ୍ରଶସ୍ତ
କାବ୍ୟଝର ପୁତପୟଃ ।
ଆମ ଏ ଜଗତ ନିର୍ମଳ ଅନନ୍ତ
ବନ୍ଧୁପଣ ଭାବମୟ ।।
ନିଷ୍କଳଙ୍କ ହୋଇ ନିର୍ବିକାର ପଣେ
ବନ୍ଧୁଙ୍କୁ ବନ୍ଧୁ ସାଥିରେ ।
ମଧୁର ମିଳନେ ସାତ୍ଵିକ ବନ୍ଧନେ
ବାନ୍ଧିଦେଲା ଅକ୍ଳେଶରେ ।।
କବିତା ଗୋ,ଦେଲ ସୁସ୍ମିତା ସମ୍ଭାର
ଆକାଂକ୍ଷିତ ଉପହାର।
ଆମ ବନ୍ଧୁତ୍ୱର ଆମ ସାଥୀତ୍ୱର
ତୁମେ ହିଁ ସାକ୍ଷୀ ଭାସ୍ୱର ।।
କଳ୍ପିତ ବନ୍ଧୁତ୍ୱ ଅକ୍ଷୁର୍ଣ୍ଣ ରହିବ
ହେବ କାବ୍ୟ ସଂକଳନ ।
ସେ କାବ୍ୟ ଶୀର୍ଷକ ଆମରି ପ୍ରତୀକ
ଅଭେଦ୍ୟ"ବନ୍ଧୁ ମିଳନ" ।।
