ବନ୍ଧୁ ମୋର
ବନ୍ଧୁ ମୋର
ସ୍ମୃତିର ସହରେ ଆଜି
ବୁଲୁଛି ମୁଁ ଏକା।
ବାରମ୍ବାର ନିଜକୁ ମୁଁ
ଦେଉଅଛି ଧୋକା।।
କାହିଁଗଲ ବନ୍ଧୁ ମୋର
କରିମତେ ପର।
ତୁମବିନା ଲାଗେ ମତେ
ଦୁନିଆ ଅନ୍ଧାର।।
ମାନୁଛି ମୁଁ ଅଜାଣତେ
ଥିଲି ସ୍ୱର୍ଥପର।
ବୁଝିନଥିଲି ମୂଲ୍ଯ ମୁଁ
ଆମ ସମ୍ପର୍କର।।
ନିର୍ବୋଧ ଅଧମ ଅଟେ
ତୁମର ଏ ବନ୍ଧୁ।
ଅଜାଣତେ ଭୁଲିଗଲା
ତୁମ ସ୍ନେହ ସିନ୍ଧୁ।।
କେମିତି ପାରିଲ ଯାଇ?
ମତେ ଛାଡି ଦୂରେ।
ତୁମକୁ ହୃଦୟ ମୋର
ନିତି ଆଜି ଝୁରେ।।
ପଲକର ବାଡ ଡେଇଁ
ଝରି ଆସେ ଲୁହ।
ହୃଦୟରେ ଭରିଯାଏ
ଦୁଃଖ ଆଉ କୋହ।।
ପିଲାଦିନେ ଆମେ କେତେ
କରୁଥିଲେ ମଜା।
ସେ ମଜା ମୋ ପାଇଁ ଆଜି
ହୋଇଅଛି ସଜା।।
ତୁମ ସ୍ନେହ ଆଦରର
କେତେଯେ ଗୁରୁତ୍ୱ।
ବୁଝି ମୁଁ ନଥିଲି କେବେ
ତାହାରି ମହତ୍ୱ।।
କାଞ୍ଚନକୁ କାଚ ଭାବି
କରିଦେଲି ଭୁଲ୍।
ଆଜିବି ଅଭୁଲା ମୋର
ଆମ ସେଇ ସ୍କୁଲ୍।।
ଇର୍ଷା ଓ ସ୍ୱାର୍ଥରେ ପୂର୍ଣ୍ଣ
ନିଷ୍ଠୁର ସଂସାର।
ଚକ୍ରାନ୍ତ କରି ଭାଙ୍ଗିଲା
ସମ୍ପର୍କ ଆମର।।
ନେଡି ଗୁଡ କହୁଣିକୁ
ବହିଗଲା ପରେ।
ଭୁଲ୍ ଏବେ ବୁଝି ମୋର
ନିତି ଝୁରି ମରେ।।
ଖୋଜୁଛି ତୁମକୁ ମନ
ଗଗନେ ପବନେ।
ଦେଖୁଅଛି ଆଖି ନିତି
ତୁମକୁ ସପନେ।।
ତୁମଠାରୁ ଦୂରେ ରହି
ହୃଦୟ ବାହୁନେ।
ବାହୁ କହେ ଛାଡିବନି
ରଖିବ ବନ୍ଧନେ।।
ତୁମବିନା ଲାଗୁଅଛି
ମତେ ଭାରି କଷ୍ଟ।
ଶୁଣିବିନି କାହା କଥା
କରୁଅଛି ସ୍ପଷ୍ଟ।।
ବନ୍ଧୁ ତୁମେ ବାରେ ରଖ
ମୋର ଏହି ଅଳି।
ଜୀବନେ ମୋ ଫେରିଅାସ
ତୁମେ ଆଗ ଭଳି।।
କଲେ କରୁଥାଉ ଯିଏ
ଯେତେବି କପଟ।
ଆସିବାକୁ ଦେବିନାହିଁ
ଆମ ମଧ୍ଯେ ଫାଟ।।
ଦେଉଅଛି କଥା ମୁଁହିଁ
କରିବିନି କଳି।
ରଖିବି ଯତନେ ଅତି
ତୁମକୁ ସମ୍ଭାଳି।।
