ବନ୍ଧନେ ବାନ୍ଧିଦେ
ବନ୍ଧନେ ବାନ୍ଧିଦେ
ଶ୍ରୀକ୍ଷେତ୍ର ଡାକିନେ ବନ୍ଧନେ ବାନ୍ଧିଦେ
ଲଗାଇରେ ଡୋରି ତୋର
ଚାହିଁଲେ ତୁହିରେ ପାରିବି ରହିରେ
ପୁରସ୍ତମେ କରି ଘର ॥୦॥
ସିନ୍ଦୂରା ଫାଟିଲେ ସୂରୁଜ ଉଠିଲେ
ଖୋଲିଲେ ସିଂହ ଦୁଆର
ଦେଖୁଥିବି ନିତି ତୋ ଶ୍ରୀମୁଖ କାନ୍ତି
ଆହେ ମୋ କଳା ଠାକୁର
ଉଦଣ୍ତ କୀର୍ତ୍ତନ ନାଚ କରୁଥିବି
ଭଜି ଭଜି ନାମ ତୋର ॥୧॥
ଆଲିଙ୍ଗନ ମୁଦ୍ରା ଦୁଇ ବାହୁ ଦେଖି
ରତ୍ନ ସିଂହାସନେ ତୋର
ମାଗୁଥିବି ତୋତେ ବାହୁ ତଳେ ମୋତେ
ରଖ ଆହେ ଚିତ୍ତଚୋର
କୈବଲ୍ୟ କଣିକା ଖୁଣ୍ଟି ଖାଉଥିବି
ଯାଇ ଆନନ୍ଦ ବଜାର ॥୨॥
ଅସାର ସଂସାରେ ତୁହି ଏକା ସାର
ନୀଳକନ୍ଦର ସୁନ୍ଦର
ମାୟାବଦ୍ଧ ମୁହିଁ ଆହେ ଭାବଗ୍ରାହୀ
ମାଗୁଛି ଆଶିଷ ତୋର
ଗଲା ବେଳେ ଜୀବ ନେତ୍ର ଦେଖୁଥିବ
ଆନନ୍ଦେ ହୋଇ ବିଭୋର ॥୩॥
