ବଳାତ୍କାର ଏକ କଳିକାର
ବଳାତ୍କାର ଏକ କଳିକାର
ରବି କିରଣ ମାଖି ନରମ ସକାଳ ଯେବେ ଆସେ,
ନବ ପ୍ରସ୍ଫୁଟିତ କଳିକା ଶିଶିର ସ୍ପର୍ଶେ ତା ପାଖୁଡା ମେଲେ,
ତା ରୂପ ମାଧୁରୀ ସାରା ସଂସାର କୁ ମୋହିନିଏ,
କିନ୍ତୁ କେତେ ସମୟ ? ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରେନି,
ନିଷ୍ଠୁର ହୃଦୟ ତାକୁ ଛିଣ୍ଡାଇ ଖିନଭିନ କରିଦିଏ।
ମାଁ, ବାପାଙ୍କ ସୁଖ ସଂସାରରେ ସେ ବି ଏକ ସୁନ୍ଦର କଳିକା ଟିଏ,
ସ୍ନେହର,ଆଦରର ପରୀଟିଏ ତାଙ୍କ ସ୍ବପ୍ନ ରାଇଜରେ,
ସେ ବି ବର୍ତ୍ତି ପାରେନି ସେ ଲୋଲୁପ, ବିଭତ୍ସ,କାମୁକ ଦୃଷ୍ଟି ରୁ,
ହିଂସ୍ରତା, ବର୍ବରତାର ଶିକାର ହୁଅନ୍ତି କେତେ ନିର୍ଭୟା,
କେତେ ଅଲିଅଳି ବିକଶିତ କଳିକା,ବଳାତ୍କାର ଶିକାର ହୁଏ,
କୋମଳ,ନୀରିହ,ସ୍ବପ୍ନ ରାଇଜରେ ବିଚରଣ କରୁଥିବା ମନଟିଏ,
ଭାଙ୍ଗିରୁଜି ଛାରଖାର ହୁଏ, ସ୍ବପ୍ନ ସବୁ ପାଷାଣ ପାଲଟିଯାଏ,
ଲୋତକ ବରଫ ପାଲଟି ଯାଏ, ବାରମ୍ବାର ସେ ଧର୍ଷିତା ହୁଏ,
କେତେବେଳେ ସମାଜରେ,ଅଥବା ନିଜ ପରିବାରରେ,
କୋର୍ଟ,କଚେରୀର ଆବାହାହ୍ବାରେ, ଏଠାରେ, ସେଠାରେ,ସବୁଠାରେ।
ସେ ବୋଧେ ସେଥିପାଇଁ କି ସଂସାରକୁ ଆସିଥାଏ ??
ବାରମ୍ବାର,ପ୍ରତିଥର,ସବୁଥର ବଳାତ୍କାରୀର ଶିକାର ହେବାରେ,
ଲାଞ୍ଛିତା,ଧର୍ଷିତା,ଅପମାନିତା,ହେବାରେ କି ନାରୀଟିଏ ଜନ୍ମିଥାଏ?
ଦ୍ରୈ|ପଦୀ,ସୀତା,ଅହଲ୍ୟା,ଯୁଗେ ଯୁଗେ କି ବଳାତ୍କାରର ଶିକାର ହେଉଥିବେ??
ନାରୀ ଅସ୍ମିତା ର ଚିର ହରଣ ଦୃଶ୍ୟରେ ବାରମ୍ବାର ଅବତରିତ ହେଉଥିବେ??
ସେ ସୁନ୍ଦର ପୁଷ୍ପ ଟିଏ ହେଉ ଅବା କାହା ଅଗଣାର ନୀରିହ,କନ୍ୟାଟିଏ ହେଉ,
ବଳାତ୍କାରୀର ଲୋଲୁପତା ଦ୍ବିଧାବୋଧ କରେନି ତାକୁ ଖିନଭିନ କରିବାରେ।