ବିଷାକ୍ତ ସହର
ବିଷାକ୍ତ ସହର
ମାୟା ନଗରୀର
ସ୍ୱାର୍ଥୀ ଦୁନିଆରେ
ମିଛ ମଣିଷଙ୍କ ଭିଡ
ପ୍ରୀତିପୂର୍ଣ୍ଣ ଶବ୍ଦେ
ଛଳନା ଅମୃତେ
ଗଢ଼ନ୍ତି ସମ୍ପର୍କ ନୀଡ଼ ।
ବଚନେ ସରସ
ହଳାହଳ ବିଷ
ହୃଦୟରେ ଥାଏ ଲୁଚି
ବ୍ୟାଧ ସାଜି ପୁଣି
କରନ୍ତି ଶିକାର
ନାନା ଚକ୍ରବ୍ୟୁହ ରଚି ।
ତନୁ ମନ ଧନ
କରନ୍ତି ହରଣ
ନିଷ୍କପଟ ମନ ଦେଖି
ମିଥ୍ୟା ପ୍ରବଞ୍ଚନା
କପଟ ଛଳନା
ଜାଲେ ଛନ୍ଦି ପ୍ରାଣ ପକ୍ଷୀ ।
ସମ୍ପର୍କର ମୂଲ୍ୟ
ଦଦରା କାଗଜ
ହୃଦୟ ଖେଳନା ପରି
ଯାତନା ଯନ୍ତ୍ରଣା
ବ୍ୟଥା ଓ ବେଦନା
ଲହୁ ଲୁହେ ଯାଏ ପୁରି ।
ମିଛ ମଣିଷର
ସମ୍ପର୍କ ବି ମିଛ
ସ୍ଵାର୍ଥେ ହୋଇଥାଏ ଭରା
ମିଛ ଅଭିନୟ
ମୁଖା ଖୋଲିଗଲେ
ସତ ପଡ଼ିଯାଏ ଧରା।
କପୋତ ରାଜନ
ଚିତ୍ରଗ୍ରୀବ ପରି
ମନରେ ସାହସ ଭରି
ବୁଦ୍ଧି କୌଶଳରେ
ସତର୍କ ପଣରେ
ହରାଇ ଦୁଷ୍ଟ ଶିକାରୀ ।
ମିଛ ଲୁହ ଦେଖି
ନ ଚାହିଁବୁ ଫେରି
ଜାଣିଗଲା ପରେ ସତ
ସତ୍ୟ ନ୍ୟାୟ ଧର୍ମ
ସେବା ଉପକାର
କରି ଜୀବନର ବ୍ରତ ।