ବିଶ୍ବାସ ଭରେ ମୋ ପ୍ରାଣ
ବିଶ୍ବାସ ଭରେ ମୋ ପ୍ରାଣ
ଆକାଶକୁ ଦିନେ ଆଶା ମାଗିଥିଲି
ଦେଖି ତା ବିଶାଳ ଛାତି
ଆଶା ଭରିବାକୁ ଅନେକ ଅଛନ୍ତି
କହିଥିଲା ହସି ହସି ।
ପାଣି ମାଗିଥିଲି ସମୁଦ୍ରକୁ ଯାଇ
ମେଣ୍ଟିଯିବ ମୋର ଶୋଷ
ସମୁଦ୍ର କହିଲା ଭିଜେଇ ପାରିବି
ଆଉ କାହା ପାଶେ ଆସ ।
ମେଘ ବୁଲୁଥିଲା ଅନ୍ତରୀକ୍ଷରେ
ମାଗିଲି ସଲିଳ ବୁନ୍ଦେ
ମୁଁ ତ ଭସା ମେଘ ନୁହେଁ ବର୍ଷା ମେଘ
କହିଲା ସେ ଅବସାଦେ ।
ପାହାଡକୁ ଦିନେ ଆଶ୍ରା ମାଗିଥିଲି
ଦେଖି ଅପରୂପ ଛବି
ପାହାଡ଼ କହିଲା ହିଂସ୍ର ଜୀବ କେତେ
ରକ୍ଷା କି କରି ପାରିବି ।
ପବନକୁ ଦିନେ ନିଃଶ୍ବାସ ମାଗିଲି
ଭାବିଲା ଘଡିଏ ବସି
କହିଲା ଆବିଳ ତନୁ ମନ ମୋର
ନବ ଯଦି ନିଅ ଶୋଷି ।
ବିଶ୍ବାସରେ ମୋର ଭରିଗଲା ବିଷ
ଆଉ ପାରିଲିନି ହସି
ଆତ୍ମାକୁ ମୋର ପ୍ରତ୍ୟୟ ମାଗିଲି
ସ୍ନେହରେ ଦେଲା ଆଉଁଷି l
କହିଲା ରେ ଧନ ମୁଁ ତୋ ସାଥେ ଅଛି
ଆଉ ଯାଆ ନାହିଁ କାହା ପାଶେ
ସବୁ ଆସିଯିବ ପାଦତଳେ ତୋର
ଧରିଥା ଜାବୁଡି ମୋତେ ।
ଏତେ ବଡ କଥା ମୋ ଆତ୍ମା କହିଲା
ଭରିଲା ମନରେ ଆଶା
ସେହିଦିନ ଠାରୁ ଛାଡ଼ିଗଲା ମୋର
ବାହାରେ ଖୋଜିବା ନିଶା ।
ମନ କଥା ମୋର ମନରେ ରହିଲା
ଫେରେଇଲି ମୋର ମୁହଁ
ଯେତିକି ମାଗିଲି ସେତିକିଶିଖିଲି
ଆଉ କେବେ ନୁହଁ ନୁହଁ ।।
