ବିରହୀର ଅନ୍ତଃସ୍ବର
ବିରହୀର ଅନ୍ତଃସ୍ବର
ନିଛାଟିଆ ନଈପଠାରେ
କାଶତଣ୍ଡିର ଘଞ୍ଚ ଘେର ଭିତରେ
କେହି ଜଣେ ବଂଶୀଆଳ ତୋଳି ଧରିଥିଲା
ବଂଶୀରେ ତା’ର ଏକ ବିରଳ ମୂର୍ଚ୍ଛନା
ଯାହା ତା’ର ଅଜାଣତରେ ସୃଷ୍ଟି କରୁଥିଲା ଅନେକ କମ୍ପନ
ଦେହ ଆଉ ମନରେ।
ସତେ ଯେମିତି ଲେଉଟାଣି ସୂର୍ଯ୍ୟକୁ ସାକ୍ଷୀ ରଖି
ସେ ଚୋରି କରୁଥିଲା
ଉଇଁ ଆସୁଥିବା ଜହ୍ନର କିଛି ଅନନ୍ୟ ମାଦକତା।
ଜଣା ନଥିଲା କାହିଁକି, କିନ୍ତୁ / ସ୍ପଷ୍ଟ ବାରି ହେଉଥିଲା ତା’ର ଗାୟନରୁ,
ସେ ଯେ ବିଳପୁ ଥିଲା
ବିରହର ନିର୍ଘାତ ତାଡନାରେ,
ହୁଏତ କାହା ନିଟୋଳ ସମ୍ଭୋଗର ମୋହରେ ।
ସେ ଭାଙ୍ଗି ଭାଙ୍ଗି ବାଲି ଗରଡାଟି ପରି
ମିଶି ଯାଉଥିଲା ସହସା ରେଣୁ ରେଣୁ ହୋଇ
ଶୁଖିଲା ନଈର ସେ ଶୂନ୍ଶାନ୍ ପଠାରେ ।
ପ୍ରତ୍ୟୟ ହେଉଥିଲା
ଖଣ୍ଡ ଖଣ୍ଡ ହୋଇ ଯେମିତି ଛିଡି ପଡୁଥିଲା ତା’ ହୃଦୟରୁ
କେବେ ଦିନେ ନିହାତି ଆପଣାର ହେଇଯାଇଥିବା
ସମ୍ପର୍କର ଇତିହାସ ପୋଥିରୁ / କିଛି ଘୁଣଖିଆ ପୃଷ୍ଠା
ତା’ ଅବଶୋଷର ଶକ୍ତ ଚଟାଣ ଉପରେ ।
ମୁଁ କିନ୍ତୁ ସାହାସ ଜୁଟେଇ ପାରିନଥିଲି
ସେ ବଂଶୀଆଳକୁ ସାନ୍ତ୍ୱନା ଦେଇ ପଦେ ବୁଝେଇ କହିବାକୁ
ହେ ବନ୍ଧୁ ! / ମିଳନ ଓ ବିରହ
ଜୀବନଚର୍ଯ୍ୟାର ଦୁଇ ଏପରି ସ୍ଥିତି
ଜଣେ ଥିଲେ ହାତ ପାପୁଲିରେ ଆଉ ଜଣେ
ଈର୍ଷାରେ ଜାଳୁଥାଏ ଅବଶିଷ୍ଟ ଆୟୁଷ।
