ବିରହୀ ଭାବନା
ବିରହୀ ଭାବନା
ଘନକାଳେ ଘନକେଶୀ କିସ କରୁଥିବ
ନବୀନ ନବୀନା କାନ୍ତ ବିନା କାନ୍ଦୁଥିବ
ଝୁରି ଝୁରି ମରୁଥିବ
ଫୁଲଶର ଫୁଲଶରେ ତନୁ ଦହୁଥିବ |(1)
ବାର ବାର ବାରିପାତ କର୍ଣ୍ଣେ ଶୁଣୁଥିବ
ଝମ ଝମ ଝଙ୍କାରେ ତନୁଲତା କମ୍ପୁଥିବ
ସନ ସନ ବହୁଥିବ
ବାତ ବାତାୟନ ପାଶେ ଚାହିଁ ରହୁଥିବ |(2)
ବିରହିନୀ ବିରହକୁ କେହ୍ନେ ସହୁଥିବ
ନଳିନ ନଳିନ ଦେହା ଭାଗ୍ୟ ନିନ୍ଦୁଥିବ
ଘନ ଘନ ଛାଡୁଥିବ
ଦୀର୍ଘ ଦୀର୍ଘତର ଶ୍ୱାସ ପ୍ରାସ ବଢୁଥିବ |(3)
ବିଧୁ ବିଧୁ ଶୀତଳତା ରୌଦ୍ର ମଣୁଥିବ
ନାଗରୀ ନାଗରମଣି ସଙ୍ଗ ଇଛୁଥିବ
କରଜରେ ଚିରୁଥିବ
ମହୀ ମହୀମଣ୍ଡନା ମହେଶ ଚିନ୍ତୁଥିବ |(4)
ପୟୋଧର ପୟୋଧରୁ ଗରୁ ହେଉଥିବ
ଜୀମୂତେ ଜୀମୂତେ ଦେଖି ଜ୍ଵର ଆସୁଥିବ
କଣ୍ଟ କଣ୍ଟା ଲାଗୁଥିବ
ପ୍ରଣୟିନୀ ପ୍ରଣୟର ଭାବ ସ୍ମରୁଥିବ |(5)
ରସାଳସା ମଦଳସା ଅଙ୍କ କଷୁଥିବ
ବର ବରାରୋହା ଭୂମି ପରେ ଶୋଉଥିବ
ରୁସି ରୁସି ଯାଉଥିବ
ମଦନ କଦନ ଚିତ୍ରକଳ୍ପ ଚୁମ୍ବୁଥିବ ||(6)
ନିରୋଳାରେ ନୀରଜାକ୍ଷୀ ଲୁହ ଢାଳୁଥିବ
କବିତାରେ କବିତାରେ ଭାବ ଆଙ୍କୁଥିବ
ଲବ ଯୁଗ ମଣୁଥିବ
ସଂସାର ଅସାର ସମ ବୋଧ ହେଉଥିବ |(7)