ବିଜନତା
ବିଜନତା
ନୁହେଁ ମୁଁ ଈଶ୍ୱର ନତୁବା ପାଗଳ
ମଣିଷ ମୁଁ ସାମାଜିକ
ଲାଗେନାହିଁ ଭଲ ବିଜନତା ମୋତେ
ଏ ଆଧି କଷ୍ଟ ଦାୟକ ।
ଭଲ ଲାଗେ ମୋତେ ସମ୍ବନ୍ଧ ସମ୍ପର୍କ
ବନ୍ଧୁ ପ୍ରିୟ ପରିଜନ
ଭଲ ଲାଗେ ପୁଣି ଭାବ ଅଭିବ୍ୟକ୍ତି
ମଧୁ ସୁନ୍ଦର ସୃଜନ ।
ରାଗ ଅନୁରାଗେ ସନ୍ତୋଷ ବିମୁଗ୍ଧେ
ଦେଖେ ସୁନୀଳ ଅମ୍ବରେ
ଘନ ସବୁଜିମା ନୀଳ ଉର୍ମିମାଳା
ମନେ ମୋ ପ୍ରଶାନ୍ତି ଭରେ ।
ଚାହେଁ ନାହିଁ ମୁହିଁ ସରଗର ସୁଖ
ଦେବ ଯୋଗ୍ୟ ଅମରତ୍ୱ
ବାରମ୍ବାର ଏହି ଧରା ପୃଷ୍ଠେ ଜନ୍ମି
ପାଳିବି ମୁଁ ସେବା ବ୍ରତ ।
ଅତି ଆଧୁନିକ ଇଣ୍ଟରନେଟ ଯୁଗ
ମୋବାଇଲ ମନ୍ଦ ନିଶା
ଯନ୍ତ୍ର ସହ କାଟେ ସମୟ ମଣିଷ
ଘାରେ ରୋଗ ବିଜନତା ।
ପ୍ରାଣୀ ସାମାଜିକ ପ୍ରଜ୍ଞା ଉତ୍ତରଣେ
ଲୋଡ଼େ ସ୍ଥାନ ନିକାଞ୍ଚନ
ସମାଜ କଲ୍ୟାଣେ ଆଚରେ ସଂଯମ
ବୃଦ୍ଧି କରେ ବୁଦ୍ଧି ଜ୍ଞାନ ।
ଉତ୍ତର ଜୀବନେ ଲୋଡ଼ା ବିଜନତା
ସାମୟିକ ନିୟମିତ
ମନ ଓ ଇନ୍ଦ୍ରିୟ ଚିତ୍ତ ଏକାଗ୍ରତା
ମଣିଷ କୁ ରଖେ ସୁସ୍ଥ ।
ବେଳ ଥାଉଁ ହୁଅ ସାବଧାନ ଜନେ
ବିଜନତା ମହାବ୍ୟାଧି
କେବଳ ନ କରୁ ଯୁବ ମାନସକୁ
ଯୁବା ହିଁ ଅମୂଲ୍ୟ ନିଧି ।
