ବିଗତ ସ୍ମୃତି
ବିଗତ ସ୍ମୃତି
ମନେପଡେ ଆଜି ପିଲାଦିନ ସ୍ମୃତି
ଆନନ୍ଦ ଉଲ୍ଲାସ ଥିଲା ସେଦିନ,
ସମୟ ସାଥିରେ ହଜିଗଲା କାହିଁ
ହଜିଲାଣି ମଧ୍ୟ ଭରା ଯୌବନ ।
ସକାଳୁ ସକାଳୁ ଜଳଖିଆ ଖାଇ
କପଡ଼ା ବସ୍ତାନି କାନ୍ଧେ ଝୁଲେଇ ,
ସକାଳୁଆ ସ୍କୁଲ ଖରାଦିନ ପାଇଁ
ଦଉଡ଼ି ଦଉଡ଼ି ଯାଉ ପଳେଇ ।
ବସ୍ତାନି ମଧ୍ୟରେ ଗୋଡ଼ି ଆଉ ଖଟା
ଲୁଚେଇ ଭିତରେ ଯତନେ ନେଉ,
ଖେଳ ଛୁଟି ହେଲେ ଜଲ୍ଦି ଖାଇଦେଇ
ଗୋଡ଼ି ଖେଳ ଖେଳି ଆନନ୍ଦ ପାଉ ।
କେତେବେଳେ ଆମେ ଦୌଡ଼ି ଡ଼ିଆଁ ଖେଳୁ
ରୁମାଲ ଚୋରି ପୁଣି ବୋହୂଚୋରି ,
ବେଳେବେଳେ ଆମେ କବାଡ଼ି ସାଙ୍ଗକୁ
ଖପରାକାତି ମଧ୍ୟ ଖେଳୁ ଭାରି ।
ହାଇଜମ୍ପ ଆଉ ଲଙ୍ଗଜମ୍ପ ପୁଣି
ଖୋକୋ ଦୌଡ଼ ମଧ୍ୟରେ ଭାଗ ନେଉ ,
ବାର୍ଷିକ ଖେଳର ପ୍ରତିଯୋଗିତାରେ
ଫ୍ୟାନ୍ସି ଡ୍ରେସ ପିନ୍ଧିକି ଖୁସି ହେଉ।
ପିଟି ସାରଙ୍କର ତତ୍ତ୍ଵାବଧାନରେ
କେତେ ପ୍ରକାର ଖେଳ ଖେଳୁଥିଲୁ ,
ପ୍ରତିଯୋଗିତାରେ ଜିଲ୍ଲା ତରଫରୁ
ସ୍କୁଲ୍ ପାଇଁ ମେଡାଲ୍ ଆଣୁଥିଲୁ ।
ସ୍କୁଲ୍ ଛୁଟି ପରେ ସମୟ ମିଳିଲେ
ସନ୍ତରଣ ପାଇଁ ପୋଖରୀ ଯାଉ ,
ତତ୍ ସହିତ ବି ସାଇକେଲ ଚଢ଼ି
ଖୁସି ଆନନ୍ଦରେ ଦିନ ବିତାଉ ।
ଭାରି ମନେ ପଡେ ସେହି ସ୍ମୃତି ସବୁ
ସତେ କାହିଁ ଆଜି ଗଲାଣି ହଜି ,
ଆଜିକାଲି ପିଲା ଖେଳ ଖେଳନ୍ତିନି
ମୋବାଇଲ୍ ଗେମ୍ ମଧ୍ୟରେ ମଜ୍ଜି ।
ସମ୍ପର୍କର ଡୋର କ୍ଷୀଣ ହୋଇଅଛି
ପାଖ ପଡୋଶୀଙ୍କ ମେଳ ବି ନାହିଁ ,
ସାଙ୍ଗ ସାଥି ମେଳ ବହୁଦୂରେ ଆଜି
ମୋବାଇଲ୍ ମୁଖ୍ୟ ଭୂମିକା ପାଇଁ ।
ଧନ୍ୟ ଆଧୁନିକ ଯୁଗରେ ମଣିଷ
ଆଧୁନିକତାରେ ମଜ୍ଜିତ ରହି ,
ଧୀରେ ଧୀରେ ସବୁ ବିଲୁପ୍ତ ହୋଇଲା
ହୋଇଲାଣି ସ୍ମୃତି ଆଜି ତ ଏହି ।
