ବିଦେଶୀ ପକ୍ଷୀ
ବିଦେଶୀ ପକ୍ଷୀ
ସୁଦୂର ବିଦେଶରୁ ତୁ
କେତେ ପଥ କରି ଅତିକ୍ରମ।
ଆକାଶମାର୍ଗରେ ଉଡ଼ି
ଆସିଅଛୁ ଆରେ ବିହଙ୍ଗମ।
ଉତ୍କଳର ଗଳାହାର
ମନୋହାରୀ ଚିଲିକା ରୂପସୀ ।
ତା ରୂପରେ ମୁଗ୍ଧ ହୋଇ
ଆସିଛୁ କି ସୌନ୍ଦର୍ଯ୍ୟ ପିଆସୀ ?
ଦଳ ଦଳ ପକ୍ଷୀ ମେଳେ
ଚିଲିକାର ସୁନୀଳ ଜଳରେ।
ବିହାର କରୁଛୁ ଆହା
କଳ କଣ୍ଠେ ଆନନ୍ଦ ମନରେ।
ନାବେ ବସି ଅଦୂରରୁ
ଯେତେ ଦେଖେ ତୋର ରୂପ ଠାଣି।
ପରଦେଶୀ ବନ୍ଧୁ ତୁହି
ନେଉ ସେତେ ମୋର ମନ କିଣି।
କେତେଦିନ ରହିବୁ ତୁ
କିବା ନାମ କିବା ତୋ ଠିକଣା।
ମୁକ୍ତାନନ୍ଦେ ଘୁରି ବୁଲୁ
ସାରା ବିଶ୍ଵ ଯେହ୍ନେ ତୋ ଅଗଣା।
ଏ ସ୍ୱର୍ଗୀୟ ଶୋଭା ଛାଡ଼ି
ଯିବାକୁ ମୋ ହେଉନାହିଁ ମନ।
କିନ୍ତୁ ଫେରିବାକୁ ହେବ
ମୁଁ ତ ନୁହେଁ ତୋ ପରି ସ୍ଵାଧୀନ।
ଜଳକ୍ରୀଡ଼ା କରି ବନ୍ଧୁ
ପୂରିଯିବ ଯେବେ ତୋର ମନ।
ଦେଶ ଫେରିବା ଆଗରୁ
କାଳିଜାଈ କରିବୁ ଦର୍ଶନ।
ତାପରେ ଅଳପ ପଥ
ପରଦେଶୀ ବନ୍ଧୁ ଉଡିଯିବୁ।
ନାରାୟଣୀ ଭଗବତୀ
ଆନନ୍ଦରେ ଦର୍ଶନ କରିବୁ।
ତାପରେ ଚିଲିକା ପଥେ
ଯିବୁ ଚାଲି ମହୋଦଧି ତୀରେ।
ପତିତପାବନ ରୂପ
ଦେଖିବୁ ତୁ ଶିରୀ ମନ୍ଦିରରେ।
ମହୋଦଧି କୂଳେ କୂଳେ
ଯିବୁ ତୁହି ରାମଚଣ୍ଡୀ ଦେଖି।
ନିକଟେ ଉତ୍କଳ କଳା
କୋଣାରକ ଦେଖି ହେବୁ ସୁଖୀ।
ଯେଉଁ ଯେଉଁ ଦେଶ ଦେଇ
ସେଠାରୁ ତୁ ଫେରିବୁ ତୋ ଘର।
ଉତ୍କଳ କଳା ଐତିହ
ସବୁଠାରେ କରିବୁ ପ୍ରଚାର।
ଆସିବୁ ସାଥିଙ୍କ ସହ
ରହିଲା ମୋ ତୋତେ ନିମନ୍ତ୍ରଣ।
ଚିଲିକାକୁ ଭୁଲିବୁନି
ତୋତେ ବନ୍ଧୁ ରହିଲା ମୋ ରାଣ।
